Unknown

 

 

 

 

 

 

 

 

 

 

ସଙ୍ଗୀତାଞ୍ଜଳି(ତୃତୀୟ ଭାଗ)

ବୈକୁଣ୍ଠନାଥ ବ୍ରହ୍ମଚାରୀ

 

ସୂଚୀପତ୍ର

 

୧.

ଅନାଲୋ ମିତଣୀ କୁଞ୍ଜେ ଝୁଲଣ ଦୋଳିକୁ

୨.

ଅମ୍ବୁରୁହ ନେତ୍ରୀରେ କନକ ଗାତ୍ରୀ

୩.

ଆଉ ଶ୍ୟାମ ବନ୍ଧୁ ମୁଖ ଚାହାନ୍ତି ନାହିଁ

୪.

ଆଗୋପ୍ରିୟ ସଖୀ.. ଶିଖାଇଣ ଶ୍ୟାମ ସ୍ନେହେ ଦେଲୁ ଯୋଖି

.

ଆଜ ବ୍ରଜଯୁବରଜ ସଜ କି ସୁନ୍ଦର ମା

.

ଆରେ ନବନବୀନା ନବନାଗର ଫାନ୍ଦେ ପଡ଼ିଲୁ କି ନାରେ

.

ଆହା କେତେ ଶୋଭାରେ ଥିର ନେତ୍ରେରେ ଥରେ

.

କଲି ତାଙ୍କୁ ଯେତେ ମନା ଗୋ ଶ୍ରୀମତୀ

.

କାନନରେ ଶୁଭେ ଏ କି ସ୍ଵନ ଗୋ

୧୦.

କାଳିଆ କହ୍ନାଇ ମୋର ପ୍ରାଣ ସଜନୀ ଜାଣରେ

୧୧.

କାଳିଆରେ କାହିଁ ପାଇଲୁ ଏ ବାଂଶୋରୀ

୧୨.

କାଳିଆ ସୁନା ତୋ ବିନା ଯିବ ଜୀବନରେ

୧୩.

କାହିଁ କାହିଁ ମୋ ଶ୍ୟାମଘନ

୧୪.

କାହିଁକି ଆନମନାରେ ଚନ୍ଦ୍ର ବଦନା

୧୫.

କାହିଁକି ହେ ଗିରିଧାରୀ, କାନନେ ଘୂରି

୧୬.

କାହ୍ନୁ ତୁମ ମୂରଲୀ

୧୭.

କୁଞ୍ଜ କାନନେ କିଏ ବୁଲୁଛି ଲୋ ସଜନୀ

୧୮.

ଗତ ରଜନୀରେ ମିତ ଦେଖିଲି ସ୍ଵପନ

୧୯.

ଗତ ରାତିରେ ସ୍ଵପନ କି ସୁନ୍ଦରରେ

୨୦.

ଘନଶ୍ୟାମ ନିବେଦନ ଘଏନ ମୋର ଏଥର ହେ

୨୧.

ଚମ୍ପକ ବରନୀ ଧନୀ କରେ ଭାବନା

୨୨.

ଚମ୍ପାବରନା ତୁରେ, ମୀନ କରନୀ ଶ୍ୟାମରେ

୨୩.

ଚାହାଁଲୋ ସଜମୀ ନିକୁଞ୍ଜ ବନ ନିପଟ କାଳିଆକୁ

୨୪.

ଚାହିଁବ ଯେ ଶ୍ୟାମ ଶୋଭା ନେତ୍ରରେ

୨୫.

ଛାଡ଼ ବାଟ ନନ୍ଦଚାଟ ଯିବି ଯମୁନା

୨୬.

ଜାଣି ନଥିଲି ସଜନୀ ସେ ତାଳଇଆ ରୀତିକି

୨୭.

ତୋ ଲାଗି ମଲେ ବ୍ରଜବାସୀ

୨୮.

ନଟବର ନାଟୁଆ କୃଷ୍ଣ

୨୯.

ନଥିଲି ଦେଖି ଅପରି ମୂରତି

୩୦

ନନ୍ଦ ନରେନ୍ଦ୍ର ଆତ୍ମଜ

୩୧.

ନାରୀ ହୀରା

୩୨.

ନୀପ ମୂଳଏ ଚାହିଁ ଦେଖ ସଜନୀ

୩୩.

ପରମାଦ ହେଲା ସାର ଗେ ବଉଳ

୩୪.

ପାସୋର ଯାଉନାହିଁ ଲୋ ସଜନୀ

୩୫.

ପ୍ରାଣମିତ କହ ସତ କିସ ବୁଦ୍ଧି କରିବା

୩୬.

ପ୍ରିୟ ସହି କୁଳ କଳଙ୍କା କହ୍ନାଇ ଗୋ

୩୭.

ବାଜୁ ପଛେ ନିନ୍ଦା ବାଜା

୩୮.

ବୃଥାରେ କଲି ମୁଁ ବସି ତା ଲାଗି ଭାବନା

୩୯.

ବଂଶୀରେ ଆଉ ବାଜନା ରାଧ ନାମରେ

୪୦.

ବଂଶୀରେ ତୁହି ମହତ ସରା

୪୧.

ମିତଣୀ ଶ୍ୟାମ ପ୍ରେମ ପଡ଼େ ମନେ

୪୨.

ମିତ ନନ୍ଦସୁତ ଛଇଳା ଗୋ

୪୩.

ମିତ ନେତ୍ରେ ଦର୍ଶନ କର

୪୪.

ମୂରଲୀ ବଜାନା ଆଉ ନିକୁଞ୍ଜ ରଜାରେ

୪୫.

ଯାହା ତାର ଇଚ୍ଛା ହେଉ ଗୋ ସଜନୀ

୪୬.

ରଖିବେ କି ରାଧେ ଚାକର ଗୋ

୪୭.

ରସ-ରାସ-ରସେ ସୁମନାରେ

୪୮.

ରାଧାନାମେ ଶାଦା ବଂଶୀ ବାଜନା ତୁ ଏତେରେ

୪୯.

ରାସ ସଙ୍ଗିନୀ ସରୋଜ ବଦନୀ

୫୦.

ରୁଷନା ରାମା ରତନ ମାନ ମୋ ମନାରେ

୫୧.

ରେ ସଜନୀ ବିଚିତ୍ର ସେ ବଂଶୀ ଧ୍ଵନୀ

୫୨.

ଶ୍ୟାମ ତୁମ ପ୍ରେମେ ମାତି

୫୩.

ଶ୍ୟାମ ସମ ବେଶ କିଅ ସାଜିବରେ

୫୪.

ଶ୍ୟାମମୁନ୍ଦର ନଟନାଗର ହେ

୫୫.

ଶ୍ୟାମ ହେ ନଟବର ବେଶ କିଏ ନୋହିବ

୫୬.

ସଖି ଆଖି ପୁରାଇ ଏ ରୂପ

 

ଅନାଲୋ ମିତଣୀ କୁଞ୍ଜେ ଝୁଲଣ ଦୋଳିକୁ

 

ଅନାଲୋ ମିତଣୀ କୁଞ୍ଜେ ଝୁଲଣ ଦୋଳିକୁ

ଅପୂର୍ବ ସୁନ୍ଦର ରାଧାମୋହନ କେଳିକୁ ।୦।

 

ଉଭା ତ୍ରିରଙ୍ଗ ଠାଣିରେ

ଚୋରା ବାଙ୍କ ଚାହାଣିରେ

ନାଗରୀ ହୃଦୟ ହରେ ବାଇ ମୂରଲୀକୁ ।୧।

 

ପରିଧାନ ପୀତବାସ

ମୁଖେ ଦରହାସ ଭାଷ

ନୋହିବ କେ ଶୁଣି ବଶ ତା ଚାଟୁ ବୋଲିକୁ ।୨।

 

ରାଇକୁ ଧରି କୋଳରେ

ଝୁଲନ୍ତି ଫୁଲ ଦୋଳରେ

ବଇକୁଣ୍ଠ ଧ୍ୟାନକରେ ତା’ ପାଦ ତଳିକୁ ।୩।

***

 

ଅମ୍ୱୁରୁହନେତ୍ରୀରେ କନକଗାତ୍ରୀ

 

ଅମ୍ୱୁରୁହନେତ୍ରୀରେ କନକଗାତ୍ରି

ବାରେ ତୁ ମାନ ମୋ ମନା

ଆହାରେ ଆହ୍ଲାଦିନୀ ଆନନ୍ଦବରଧନୀ

ଶ୍ୟାମ ପ୍ରେମ-ପରମାଦରେ ପଡ଼ନା ।୦।

 

(ପଡ଼ି) ତୁ ଅତି ସୁକୁମାରୀ ଆରେ ରାଜକୁମାରୀ,

ଲମ୍ପଟ ରୀତି ଝୁରି ସରିଯିବ ତୋ ଶିରୀ

ନାଗରୀମରା ନାମ ବିଖ୍ୟାତ ତାହାଙ୍କରି

ବରଜି ନିଜ ସୁଖ ତା ସ୍ନେହ ଅରଜନା ।୧।

 

ଶୁଣିଛି କି ଗୋ କାହିଁ, କେ ଶିଶୁ କ୍ଷୀର ଖାଇ

ମା’ ଏ ଦେଇଛି ଯାତନା ?

କେବଳ ଏକା ସେହି ବାଳକ କାଳେ ସହି

ସ୍ତନ ପାନେ ପ୍ରାଣେ ନାଶିଛି ପୁତନା ।

(ପଡ଼ି) ଗଜଗାମିନୀ ଧନୀ ଜାଣିନୁ ତା କାହାଣୀ

ଗୋପେ କେତେ ତରୁଣୀ କରିଛି ବାଇଆଣୀ

ସେ ଗ୍ରାମେ ତାଙ୍କ ନାମେ ହାଟ ବସିଛି ପୁଣି

ଜପଟୀ କୃଷ୍ଣ ପାଇଁ ବିଟପୀ ଗୋପାଙ୍ଗନା ।୨।

 

ପୁଣି ଶୁଣ ମିତଣୀ, ଭଣ୍ତ ମୁରଲିପାଣି

ଭୁଲାଇ ନୂଆ ଲଳନା,

ସଞ୍ଜବେଳେ କି ଖଞ୍ଜେ ଓଟାରି ନେଇ କୁଞ୍ଜେ

ଭୁଞ୍ଜାଏ ଗୋ ତାହାଙ୍କୁ ଗୁରୁଜନଗଞ୍ଜଣା ।

(ପଡ଼ି) ତ୍ରିରଙ୍ଗ ଛନ୍ଦେ ନୃତ୍ୟ କରିଣ ଗୋପୀନାଥ

ମୋହି ସବୁରି ଚିତ୍ତ ବୁଡ଼ାଇ ପତିବ୍ରତ

ଗୋପେ ଗୋପୀମାନଙ୍କ ସାରିଦିଏ ମହତ

ସତୀ-ହୃଦୟ ଦମ୍ଭ କ୍ଷଣକେ କରେ ଚୂନା ।୩।

 

ମୁନିଙ୍କ ମନଭୁଲା ଧନ୍ୟ ସେ ନନ୍ଦବାଳା

ତା’ କଥା ଆଉ କହନା,

ବଇକୁଣ୍ଠର ଗିର ଘେନି ନାଗରୀବର,

ଦୂରୁ ତାକୁ ଜୁହାରକର ପାଶେ ଯାଅନା ।

(ପଡ଼ି) ତା ସଙ୍ଗେ ମଜିଗଲେ ଫେରିବୁ ନାହିଁ ଭଲେ

କଳଙ୍କ ହେବ କୁଳେ ସବୁ ସରିବ ହେଳେ

କରିଦେବ ସେ ବଶ କାଉଁରୀ ମନ୍ତ୍ରବଳେ

ଶେଷରେ ହରବର ସାର ହୋଇବ ସିନା ।୪।

***

 

ଆଉ ଶ୍ୟାମ ବନ୍ଧୁ ମୁଖ ଚାହାନ୍ତି ନାହିଁ

 

ଆଉ ଶ୍ୟାମ ବନ୍ଧୁ ମୁଖ ଚାହାନ୍ତି ନାହିଁ

ଯେବେ ତାହା ସମବନ୍ଧୁ ଜଣେ ପାଆନ୍ତି ମୁହିଁ ।୦।

 

ପାଇଲେ ମୁଁ ଆନ ଜଣେ

ନଢ଼ାଳନ୍ତି ନେତ୍ର ଏଣେ

ଯେତେ ଦଗାଦେଲା ବଣେ

କେତେ କହିବି ଫେଇ ।୧।

 

ଖୋଜୁଛି ମୁଁ ମନେ ମନେ

କେହି ନଦିଶେ ତ କେଣେ

ତୁଲ କଲି ପଣେ ପଣେ

ସମ ନୋହିଲେ କେହି ।୨।

 

ତା ଲାବଣ୍ୟ ମୃଦୁ ହାସ

ଦେଖି ନୋହିବ କେ ତୋଷ

କରିଥିବ ଯେତେ ଦୋଷ,

ମନୁ ଯିବ ମିଳାଇ ।୩।

 

 

ସଖୀ, ତାର ଶିଖୀଚୂଳ

ଦେଖି ନୋହିବ କେ ଭୋଳ

ଚାରି ଆଖି ହୋନ୍ତେ ମେଳ

ଧୈର୍ଯ୍ୟ ଦିଏ ଟଳାଇ ।୪।

 

ଯେଣେ ଚାହୁଁଛିରେ ସହୀ

ନୟନରେ ନାଚେ ସେହି

ତ୍ରିଭୁବନେ ପୂରି ରହି

ମନ ନେଉଛି ମୋହି ।୫।

 

ଯାହା କରିବ ସେ କରୁ

ତା ଆଗେ ମୋ ଦିନ ସରୁ

ମଲେ ବଇକୁଣ୍ଠ ମରୁ

ତାର ମୂରତି ଧ୍ୟାୟି ।୬।

***

 

ଆଗୋପ୍ରିୟ ସଖୀ ଶିଖାଇଣ ଶ୍ୟାମ ସ୍ନେହେ ଦେଲୁ ଯୋଖି

 

ଆଗୋ ପ୍ରିୟ ସଖୀ ଶିଖାଇଣ ଶ୍ୟାମ ସ୍ନେହେ ଦେଲୁ ଯୋଖି ।ପଦ।

 

ସରଳ ମନ ତୁ ଦେଖି ମୋର

ସର୍ବଦା ଗାଇଲୁ ଗୁଣ ତାର

ସୁମଧୁର ବଂଶୀ ମୋ ଶ୍ରୁତିରେ ପଶି,

ସନ୍ତୋଷରେ ମତି ଗଲା ଲାଖି ।୧।

 

ତା ରୂପ ଲାବଣ୍ୟ ଠାଣି ମାଣି

ନିତି ପ୍ରତି ତୋହଠାରୁ ଶୁଣି

ଦରଶନେ ନେତ୍ର ଚାହିଁଲା ସତତ,

ସଙ୍ଗେ ଗଲୁ ଆପେ ହୋଇ ସାଥୀ ।୨।

 

ଚିତ୍ରପଟ ତାର ଦେଖାଇଲୁ

ଚିତ୍ତକୁ ମୋ ତହିଁ ଠିକାଇଲୁ

ଚୂଡ଼ା ମଲ୍ଲୀବେଢ଼ା ଚନ୍ଦ୍ରିକା ସଜଡ଼ା

ଚାହିଁ ଚଳିତ ହେଲା ମୋ ଆଖି ।୩।

 

ସରସ ହୃଦୟ ରାଧା ଠାରେ

ସରାଗ ନୋହିଲା ତୋ ଚିତ୍ତରେ

ସାରିଦେଲୁ ସହୀ, ମୋ ସଂସାର ତୁହି

କୃଷ୍ଣପ୍ରେମେ କଲୁ ଚିର ଦୁଃଖୀ ।୪।

 

ଦାସ ବଇକୁଣ୍ଠ କହେ ସତ

ଦୋଷ ଦେବା ମିତେ ଅନୁଚିତ

କରମଲିଖନ ନ ହୋଇବ ଆନ

ନବ ଅନୁରାଗେ ହୁଅ ସୁଖୀ ।୫।

***

 

ଆଜ ବ୍ରଜଯୁବରାଜ ସଜ କି ସୁନ୍ଦର ମା

 

ଆଜ ବ୍ରଜଯୁବରାଜ ସଜ କି ସୁନ୍ଦର ମା

କୋଟି କାମ ଜିଣି ତେଜ ଦିଶେ ଚମତ୍କାର ମା ।୦।

 

ପାଦକୁ ଛନ୍ଦି ପାଦରେ ଶିଖି ପୁଚ୍ଛ ବାନ୍ଧି ଶିରେ

ମୃଗମଦ ଚିତା ଭାଲେ ମୁରଲୀ ଅଧର ମା ।୧।

 

ପିନ୍ଧିଣ ପୀତବସନ ଗଳାରେ ମାଳ ସୁମନ

ସାଜିଛି ଅତି ଯତନ ସେ ନଟନାଗର ମା ।୨।

 

ମୃଦୁ ହାସେ ହସି ଦେଇ ତେରେଛେ ଦିଏ ଅନାଇ

ନାରୀହୃଦ ଦୋହଲାଇ ଦେବ ତା ଚାତର ମା ।୩।

 

ଗାଇ ରାଧା ରାଧା ନାମ ଉଛୁଳାଏ ବ୍ରଜଧାମ

ନବ ନଟବର ଶ୍ୟାମ କିଣଇ ଅନ୍ତର ମା ।୪।

 

ଦେଖି ତା ତ୍ରିଭଙ୍ଗ ଠାଣି ବିକିଲି ନିଜକୁ ପୁଣି

ବଇକୁଣ୍ଠ ଗୀତେ ଭଣି ଯା ହେଉ ଏଥର ମା ।୫।

***

 

ଆରେ ନବନବୀନା, ନବନାଗର ଫାନ୍ଦେ ପଡ଼ିଲୁ କିନାରେ

 

ଆରେ ନବନବୀନା, ନବନାଗର

ଫାନ୍ଦେ ପଡ଼ିଲୁ କିନାରେ ।୦।

 

ନିତି ଯମୁନା ଯାଉ କରି ବାହାନା

କି ମନ୍ତ୍ର କଲାଣିକି କାଳିଆ ସୁନା ରେ ? ।୧।

 

କନକାଙ୍ଗୀ ତୋ ତନୁ ହୋଇବ ଚୂନା

କପଟ କହ୍ନଠାରେ ମନ ବଳାନା ରେ ।୨।

 

ସୁମନା, ମନୁ ତେଜ ତାର କାମନା

ଆଉ ତା ମୂରତିରେ ମତି ମଜ୍ଜାନା ରେ ।୩।

 

କଦମ୍ୱ ମୂଳକୁ ତୁ ଆଉ ନ ଅନା

କୂଳବଧୂଙ୍କୁ ଏହା କଳଙ୍କ ସିନା ରେ ।୪।

 

କହଇ ବଇକୁଣ୍ଠ ମାନ ମୋ ମନା

ହୁଡ଼ୁ ଯା କଲେ କଲୁଆଉ ହୁଡ଼ନା ରେ ।୫।

***

 

ଆହା କେଡ଼େ ଶୋଭାରେ ଥିର ନେତ୍ରରେ ଥରେ

 

ଆହା କେଡ଼େ ଶୋଭାରେ ଥିର ନେତ୍ରରେ ଥରେ

ସହି ଅନାଗୋ ବହନ

ସାଜି ନବୀନ ସାଜ ବରଜ ଯୁବରାଜ

କଦମ୍ୱ ମୂଳେ ଆଜ

ବିଜେ ମନମୋହନ ।

(ପଡ଼ି) ଚାହିଁ ତା ଚାରୁ ପାଦଚିତ୍ତେ ଜାଗେ ଆନନ୍ଦ

ଦର୍ଶନେ ଦୂରେ ଯାଏ ଦୁସ୍ତର ଭବ ଦ୍ୱନ୍ଦ୍ୱ

ପ୍ରତେ ହୁଏ ପାଇବା ପରି କୋଟି ସମ୍ପଦ

ଦୂରହୁଏ ବିପଦ କାମ୍ୟ କାମନା ମାନ ।୦।

 

ଜିଣି ଦଳିତାଞ୍ଜନ କମନୀୟ ବରନ

ମୋହୁଛି ଜନନୟନ

ଭାଲ ପଟେ ଚନ୍ଦନ ଦିଶଇ କି ଯତନ

ନୀଳ ଗଗନେ ଯେହ୍ନେ

ଉଦେ ଶରତ ଜହ୍ନ ।

(ପଡ଼ି) ଶିଖିପୁଚ୍ଛ ଚୂଳିଆ ନବଘନ କାଳିଆ

ସେ ପୀତ ଦୁକୁଳିଆ ପ୍ରୀତି-ସୁନାଥାଳିଆ

 

 

ରୁଞ୍ଜ ଗୁଞ୍ଜ ମାଳିଆ ମକର କୁଣ୍ତଳିଆ

ଗୋପପୁଅ ମେଳିଆ ଶ୍ରୀ ବୃନ୍ଦାବନ ଧନ ।୧।

 

ଠିଆ ହେବାର ଠାଣି ଠଉରାରେ ମିତଣୀ

ଠିକଣା କରି ତୋ ଧ୍ୟାନ

ଆଉ ଏହି ମୁରତି ନାହିଁ ନଥିବ କ୍ଷିତି

ସତୀ ଛାତି କରତି

ଦେବ ଏ ରୂପ ଜାଣ ।

(ପଡ଼ି) ମୂରଲୀ ଧରି କରେ ବଜାନ୍ତି ରାଧା ସ୍ୱରେ

ପଡ଼େ ଯା କାନେ ଥରେ ମନୁ ଗୁମାନ ସାରେ

ତା ପୀରତି ଆଶାରେ ନିଶି ଦିବସ ଝୁରେ

ଲାଜେ ନକହି କାରେ କରେ ସେ ସୁମରଣ ।୨।

 

ଏ ସୁନ୍ଦର ସୁଠାମ କିଏ କଲା ନିର୍ମାଣ

ନାହିଁତ ତୁଳନା ଆନ ।

କେତେ କାଳେ ବିରଞ୍ଚି ରଚିଛି ପାଞ୍ଚି ପାଞ୍ଚି

ସଂସାର ସାର ବାଛି

ସଞ୍ଚି ଅଛିତ ପୁଣ ।

(ପଡ଼ି) ଧରି ଏହି ମୂରତି ଧନ୍ୟ ହେଲା ଧରିତ୍ରୀ

ଦେଖି ନବ ଯୁବତୀ ନୋହିବ କେ ଆରତି

ବଇକୁଣ୍ଠ ବଦତି ତା ପାଦେ ଦେଲେ ମତି

କାଳକାଳକୁ ଭୀତି ନଥିବଟି ଗୋ ଜାଣ ।୩।

***

 

କଲି ତାଙ୍କୁ ଯେତେ ମନା ଗୋ ଶ୍ରୀମତୀ

 

କଲି ତାଙ୍କୁ ଯେତେ ମନା ଗୋ ଶ୍ରୀମତୀ

କଲି ତାଙ୍କୁ ଯେତେ ମନା

ହୋଇଣ ବିନୟୀ କହିଲି ଘେନାଇ

ନକଲେ ମୋ କଥା ଘେନା ।୦।

 

ଦେଲେ ସେ ଯେଉଁ ଉତ୍ତର ସଜନୀରେ

ଶୁଣି ମୁଁ ହେଲି କାତର

ତୋହ ପାଇଁ ସେହି ଅବତାର ହୋଇ

ଛନ୍ତି ଗୋପେ ନନ୍ଦ କହ୍ନା ଗୋ ।୧।

 

ଛାଡ଼ି ଦେଲେ ବଂଶୀସ୍ୱନ ସଜନୀରେ

ନବର୍ତ୍ତିବେ କେହି ଜନ

ଏ ବ୍ରଜନଗର ହେବ ଛାରଖାର

ନ ବହିବଟି ଯମୁନା ଗୋ ।୨।

 

ଶୂନ୍ୟେ ଯିବେ ପଞ୍ଚଭୂତ ସଜନୀରେ

ନ ବହିବଟି ବସନ୍ତ

 

 

ଧର୍ମ କର୍ମ ଜ୍ଞାନ ହେବ ଅକାରଣ

ସବୁ ତାହା ପାଇଁ ସିନା ଗୋ ।୩।

 

ରାଧାକୃଷ୍ଣ ନାମ ସାର ସଜନୀରେ

ବ୍ୟାପିଅଛି ଚରାଚର

କ୍ଷଣେ ହେଲେ ଦୂର ଘୋଟିବ ଅନ୍ଧାର

ନୋହିବ ସୃଷ୍ଟି ରଚନା ଗୋ ।୪।

 

ହୀନ ବଇକୁଣ୍ଠ କହି ସଜନୀରେ

ସେ ତୋର ତୁ ତାର ସହୀ

ଜାଣି ଶୁଣି ଏହା ମିଛେ ହେଉ ବାୟା

ମୋ ଆଗେ କରି ଛଳନା ଗୋ ।୫।

***

 

କାନନରେ ଶୁଭେ ଏକି ସ୍ୱନ ଗୋ

 

କାନନରେ ଶୁଭେ ଏକି ସ୍ୱନ ଗୋ

ଶୁଣି ମନ ହୁଏ ଛନ୍ନ ଛନ୍ନ ।୦।

 

ଛନ୍ତି କେତେ ଭୂଆସୁଣୀ ନଡ଼ାକେ କାହାକୁ

ରାଧାନାମ କେବା ଯାଇଁ କହିଲା ତାହାକୁ ଗୋ

ଲୁଟିବାକୁ ଧଇର୍ଯ୍ୟ ଗୁମାନଗୋ

ସାରିବତ ନବବଧୂପଣ ଗୋ ।୧।

 

ଶବଦ ପଥକୁ ବାରି ଯାଆନ୍ତି ବା ଧାଇଁ

ଶାଶୁ-ନଣନ୍ଦ ଗଞ୍ଜଣା ନପାରିବି ସହି ଗୋ

ଘରକୋଣେ ହରାଇବି ପ୍ରାଣ

ନିଶ୍ଚୟ ମୁଁ କହୁଅଛି ଶୁଣ ଗୋ ।୨।

 

ଅମୃତରୁ ବଳି ସ୍ୱାଦ ଅଟେ ତାର ସ୍ୱର

ବଜାଉ ଅଛି ଯେ , ହୋଇଥିବି କି ସୁନ୍ଦର ଗୋ

ଯେ ଦେଖିବ ଧନ୍ୟ ତା ଜୀବନ

ନିମିଷେ ଲଭିବ କୋଟି ପୁଣ୍ୟ ଗୋ ।୩।

 

 

 

ସର୍ବଗୁଣେ ପରିପୂର୍ଣ୍ଣ ରସର ଭଣ୍ତାର

ସାର ହୋଇ ରହିଥିବ ସେ ରୂପ ମଧୁର ଗୋ

ମନେ ମୋର ହୁଏ ଅନୁମାନ

କରୁଥିବେ ବହୁ ପ୍ରେମ ଦାନ ଗୋ ।୪।

 

ଜାତିଗୋତ୍ର କାହାର ତ ରଖିଦେବ ନାହିଁ

କେତେ କେତେ କୁଳବତୀ ଝରିବେ ତା ପାଇଁ ଗୋ

ହଜାଇ ବିଜ୍ଞାନୀଙ୍କର ଜ୍ଞାନ

ଅସ୍ଥିର କରାଇ ଦେବ ଧ୍ୟାନ ଗୋ ।୫।

 

ସଜନୀ ମୋ ରାଣ ଦେଇ କହ ଯା ବୁଝାଇ

ପରଘରବୁଡ଼ା ବୁଦ୍ଧି ଛାଡ଼ନ୍ତୁ କହ୍ନାଇ ଗୋ

ହଟିଯାଉ ଦାସୀର କଷଣ

ବଇକୁଣ୍ଠ ନୋହୁ ହୀନିମାନ ଗୋ ।୬।

***

 

କାଳିଆ କହ୍ନାଇ ମୋର ପ୍ରାଣ ସଜନୀ ଜାଣରେ

 

କାଳିଆ କହ୍ନାଇ ମୋର ପ୍ରାଣ ସଜନୀ ଜାଣରେ

ଗଲେ ପଛେ ଯାଉ ଜୀବ ମନୁ ଅନ୍ତର ନୋହିବ

କହୁଛି ମୁଁ ନକର ବାରଣ ରେ , ସଜନୀ ।୦।

 

ଘରେ ବା ବାହାରେ ସହୀ ଆନ କିଛି ଦିଶୁନାହିଁ

ନାଚେ ନେତ୍ରେ ତା ଚନ୍ଦ୍ରବଦନରେ ।୧।

 

ଶୟନେ ସ୍ୱପନେ କର୍ଣ୍ଣେ ବାଜିଲେ ମୁରଲୀ ତାନେ

ଯାଏ କେଣେ ଲଜ୍ଜା ଅଭିମାନରେ ।୨।

 

ଗୁଣି ହେଉଥାଏ ବସି ଯିବାକୁ ତା ସଙ୍ଗେ ମିଶି

ଦାସୀ ହୋଇ ଦେବି ତନୁ ଦାନ ରେ ।୩।

 

କେତେକାଳ ଭାବି ବିହି ଏ ରୂପକୁ ଥିଲା ଲିହି

ତିନି ଲୋକେ ନାହିଁ ତା ସମାନରେ ।୪।

 

କହେ ବଇକୁଣ୍ଠ ଦ୍ୱିଜ ଛାଡ଼ି ବେଦ ବିଧି କାର୍ଯ୍ୟ

ତାର ପଦରଜ ମହା ପୂଣ୍ୟରେ ।୫।

***

 

କାଳିଆରେ, କାହୁଁ ପାଇଲୁ ଏ ବାଂଶୋରୀ

 

କାଳିଆରେ, କାହୁଁ ପାଇଲୁ ଏ ବାଂଶୋରୀ

କି ମନ୍ତ୍ରରେ ଫୁଙ୍କି ସତୀ ଧୃତି ଦେଲୁ ଟାଳି

କାଳିଆରେ ।୦।

 

ଥରେ ଯା’ ଶ୍ରୁତିରେ ପଡ଼େ ସେ ସ୍ୱର-ଲହରୀ

ଏ ମାୟା ସଂସାର ତାକୁ ଲାଗେ ବିଷ ପରି

କାଳିଆରେ ।୧।

 

ବରଜବଜାରେ ଥିଲେ ଯେତେ ଯୋଗ୍ୟା ନାରୀ

ସେ ସ୍ୱନ ଶୁଣନ୍ତି ପ୍ରୀତି ପାଇଁ ହେଲେ ଝୁରି

କାଳିଆରେ ।୨।

 

ପତି ପୁତ୍ର, ଜ୍ଞାତି ଗୋତ୍ର ସକଳ ପାସୋରି

ସତତ ତୋ ସରଣୀକୁ ଥାନ୍ତି ଅନୁସରି

କାଳିଆରେ ।୩।

 

କାହୁଁ ଦୀକ୍ଷା ପାଇଲୁ କାହାକୁ ଗୁରୁ କରି

କହେ ବଇକୁଣ୍ଠ ଧନ୍ୟ ତୋର ବାହାଦୁରୀ

କାଳିଆରେ ।୪।

 

କାଳିଆ ସୁନା ତୋ ବିନା ଯିବ ଜୀବନରେ

 

କାଳିଆ ସୁନା ତୋ ବିନା ଯିବ ଜୀବନରେ

ନଫେରିବୁ ଯେବେ ବାବୁ ଗୋପ ଭୁବନରେ ।୦।

 

ଛାଡ଼ିଗଲା ଦିନୁ ତୁହି ମୋ ନୟନେ ନିଦ୍ରା ନାହିଁ

କିପାଇଁ କଳାକହ୍ନାଇ ହେଲୁ ଦାରୁଣ ରେ ।୧।

 

ବୃଷଭାନୁ ଜେମା ଶୀରି ଝୁରି ଝୁରି ଯିବ ସରି

ଶୋକରେ ହୁଅନ୍ତି ଘାରି ବରଜ ଜନରେ ।୨।

 

ଯେବେ ମଥୁରାକୁ ଗଲୁ ଆମ୍ଭଙ୍କୁ ସଙ୍ଗେ ନନେଲୁ

ଜାଣି ଜାଣି ଭୋଗାଇଲୁ ଏ ହୀନିମାନରେ ।୩।

 

ତୁହି ଗଲାଦିନୁ ଧନ ଶୀରିହୀନ ଗୋପଗ୍ରାମ

ହୋଇଲା ସାତ ସ୍ୱପନ ବଇଁଶୀ ସ୍ୱନରେ ।୪।

 

ରେ କୃଷ୍ଣ କପଟ ଗୁରୁ କପଟେ ଲୋକଙ୍କୁ ମାରୁ

ବଇକୁଣ୍ଠକୁ ସଂସାରୁ କଲୁ ଉଚ୍ଛନ୍ନ ରେ ।୫।

***

 

କାହିଁ କାହିଁ ମୋ ଶ୍ୟାମଘନ

 

କାହିଁ କାହିଁ ମୋ ଶ୍ୟାମଘନ

ଚାହିଁ ଚାହିଁ ବିତିଯାଏ ଦିନ ।୦।

 

ଆସିବାକୁ ଗଲା କହି ଆଜି ସୁଦ୍ଧା ଆସୁନାହିଁ

ବନ୍ଦି କେ କଲା କି କାହିଁ ଉଚ୍ଛନ୍ନ ହୁଏତ ମନ ।୧।

 

ମଥୁରାରେ ସେ ରହିଲା ଗୋପପୁର ଶୂନ୍ୟହେଲା

ଆଉ ବଂଶୀ ବାଜିଲା ତା ବିନେ ଯିବ ଜୀବନ ।୨।

 

ଗୋପଳ ବାଳକେ ମିଳି ଇଚ୍ଚେ ଛାଡ଼ନ୍ତି ବୋବାଳି

ଆସ ଆସ ବନମାଳୀ ନୁହଁରେ ଏଡ଼େ ଦାରୁଣ ।୩।

 

ବନର ପାଦପ ଲତା ଆକୁଳେ କରନ୍ତି ଚିନ୍ତା

ଅନ୍ଧ ହୋଇ ପିତା ମାତା ବସି କରନ୍ତି ରୋଦନ ।୪।

 

ବଇକୁଣ୍ଠ ଗୀତେ ଭଣେ ରାଧା କି ନପଡ଼େ ମନେ

ଥରେ ଚାହିଁ ନେତ୍ର କୋଣେ ରଖ କୃଷ୍ଣ ତାର ପ୍ରାଣ ।୫।

***

 

କାହିଁକି ଆନମନାରେ ଚନ୍ଦ୍ରବଦନା

 

କାହିଁକି ଆନମନାରେ ଚନ୍ଦ୍ରବଦନା

ଭାବୁ କାହା ଭାବନାରେ ।୦।

 

କାହାକୁ କରୁଛୁ ଧ୍ୟାନ କହ ମୋ ଧନ

କିଏ କିଣିଲା ତୋ ମନ

କ୍ଷଣ କ୍ଷଣକେ ପୁଣ ହରାଇଣ ଚେତନ

ଗୁଣ ଗୁଣ ସ୍ୱରରେ ଗାଉ କାହାର ଗୁଣ

ଆରେ ମଦାଳସୀ ପଦେ କହ ହସି

ଆମ୍ଭେ ପରା ତୋର ଅଙ୍ଗସେବା ଦାସୀ

ବ୍ୟଙ୍ଗ କରିବାକୁ ହୋଇବୁ କି ସାହାସୀ

ଘୋଷି ହେଉ ନିତି ତୋ ହିତ କାମନ ରେ ।୧।

 

କେହି ତୋ ପାଶରେ ନାହିଁ, କାହାକୁ ଚାହିଁ

ହସୁରେ ପରାଣସହୀ,

କଳା ଡ଼ୋଳା ଖେଳାଇ ନୀଳାକାଶେ ଅନାଇ

କିସ କାହାକୁ କହି କାତରେ କାନ୍ଦୁ ତୁହି

ଦେଖି ତୋର ମୂର୍ତ୍ତି ଧରି ନୋହେ ଧୃତି

ବେଳୁ ବେଳ ଛାତି ଦେଉଅଛି କରତି

ବାଳକାଳୁ ଆମ୍ଭେ ପରା ତୋହର ସାଥୀ

ଶାନ୍ତି ଗଜଗତି ଅଛି କି ତୋ ବିନା ରେ ।୨।

 

ଘେନ ଏ ବିନୟ ଗିରି ସଜନୀ ମୋର

ହରଷେ ଭାଷ ଉତ୍ତର ।

କା ରୂପେ ଲୟ ତୋର ଆରେ ରସିକାବର

ନିଶ୍ଚୟ ଛବି ତାର ଆଣି ଦେବୁ ଛାମୁର

ଆରେ ସୁନାଗୋରୀ ଆଉ ନୁହଁ ଏପରି

ନିନ୍ଦା ନ ରଟୁ ଆଉ ଏ ଗୋପପୁରୀ

କୋପନା ମାଗେ କ୍ଷମା ବ ଇ ଆ ବ୍ରହ୍ମଚାରୀ

ରାସେଶ୍ୱରୀ ବୋଲି କୁଞ୍ଜେଉଡ଼େ ବାନା ରେ। ।୩।

***

 

କାହିଁକି ହେ ଗିରିଧାରୀ, କାନନେ ଘୂରି

 

କାହିଁକି ହେ ଗିରିଧାରୀ, କାନନେ ଘୂରି

ଫୁଙ୍କ ବାଂଶୋରୀ, ଏ କି ଚାତୁରୀ

ସରାଗେ ନିତି ସଂଜରେ, ନିପ କୁଞ୍ଜରେ

ଭୁଲାଅ ଖଞ୍ଜରେ ବରଜ ନାରୀ, ଏ କି ବାହାଦୂରି ।୦।

 

ରାଧାରାଣୀ ରନ୍ଧନ କାଳେ ଇନ୍ଧନରେ ଅଗ୍ନି ନ ଜଳେ

ସେ ସ୍ୱନ ତାଳେ, ତା ମନ ଟଳେ,

କରୁଛ କିଆଁ ଏ ଭଣ୍ତାମିଗିରି ।୧।

 

ଜୁଡ଼ାବନ୍ଧା ରହେ ତା ଅଧା ପାସୋରେ ସେ ଘରର ଧନ୍ଦା

ଏ କି ଆସ୍ପର୍ଦ୍ଧା, କରିଛ ଫନ୍ଦା,

ମଣିଛ କି ତାକୁ ଗୋପ ଆଭିରୀ ।୨।

 

କହି ଦିନେ କଂସ ରାଜାରେ ଦେଖି ନେବୁ ତୁମ ମଜାରେ

ଏ ମଉଜକୁ, ଭଙ୍ଗୀ ସଜକୁ,

ଛଡ଼ାଇ ଦେବୁଟି ରସିକଗିରି ।୩।

 

 

 

ଆହେ ଲାଟବସନ ଚୋର, ନାହିଁ ମାନ ମହତେ ଡ଼ର

ହେ ଦଗାଦାର, ଶୁଣ ଏଥର,

ହୁଅ ହୁସିଆର ନାଟୁଆ ହରି । ୪।

 

ଆମ ଜେମା ଯିବା ଦାଣ୍ତରେଯେବେ ଗୋଳ କର ଭଣ୍ତ ରେ

ଜଳ ଭାଣ୍ତରେ, ତୁମ ମୁଣ୍ତରେ,

ପିଟିବୁ କହିଛି ସେ ବ୍ରହ୍ମଚାରୀ ।୫।

***

 

କାହ୍ନୁ ତୁମ ମୁରଲୀ

 

କାହ୍ନୁ ତୁମ ମୁରଲୀ, ଦିଅ ବଜାଏ ମୁଁ ଥରେ

ତୁମ ନାମରେ

ଦୂରେ ରହି ଶୁଣ ସେହି ସ୍ୱର ପୁଣ

କିପରି ଗୋପୀଙ୍କ ମରମେ ଘାରେ ।୦।

 

ପୀତବାସ ମୋତେ ପିନ୍ଧାଇ

ନୀଳ ଶାଢ଼ୀ ପିନ୍ଧ ହେ ନେଇ

ମୋର ମଥାମଣି ନିଅ ବେଣୁପାଣି

ଶିଖଣ୍ତ ମୁକୁଟ ବାନ୍ଧ ମୋ ଶିରେ ।୧।

 

ମୁଣ୍ତେ ମୁଣ୍ତା ଦଧି ପସରା

ସଖା ସଙ୍ଗେ ଚଳ ମଥୁରା

ମିଳି ବ୍ରଜବାଳୀ କଉତୁକ କରି

ଲୁଟିବୁ ଗୋରସ ଆନନ୍ଦଭରେ ।୨।

 

ପିଚକାରୀ ମାରିବୁ ଆମ୍ଭେ

ହସି ହସି ସହିବ ତୁମ୍ଭେ

 

 

 

ବଇକୁଣ୍ଠ ଭାବେ ବୁଝିବଟି ତେବେ

ଶାଧ ବଂଶୀ ରାଧା ମହତ ସାରେ ।୩।

***

 

କୁଞ୍ଜ କାନନେ କିଏ ବୁଲୁଛି ଲୋ ସଜନୀ

 

କୁଞ୍ଜକାନନେ କିଏ ବୁଲୁଛି ଲୋ ସଜନୀ

କୁଞ୍ଜ କାନନେ

ତ୍ରିପଣ୍ତ କଳାମୂର୍ତ୍ତି ଲୋ ଦେଖି ଚମକେ ଛାତି

ସତୀଅରାତି ପରି ଦିଶୁଛି ଲୋ ସଜନୀ

କୁଞ୍ଜ କାନନେ ।୦।

 

କିବା କଳାଭୂତ କାହୁଁ ଏଥେ ଅସିଛି, ସେହିପରି ଦିଶୁଛି,

ସେ ଯେବେ ଭୂତ ହୋନ୍ତା, ରୁକ୍ଷ ସ୍ୱଭାବ ଥାନ୍ତା

ସେ ତ ରୁକ୍ଷ ନୁହଇ ଗୋ ଶାନ୍ତ ମୂରତି ସହୀ

ପାଦେ ନୂପୂର ନାଦ ଶୁଭୁଛି ଲୋ ସଜନୀ

କୁଞ୍ଜ କାନନେ ।୧।

 

କିବା କେଉଁ ବନଦେବୀ ବନ ଜଗିଛି, ସେହିପରି ଲାଗୁଛି

ସେ ଯେବେ ଦେବୀ ହୋନ୍ତା, ଗୋ ନାରୀ ବେଶ ସାଜନ୍ତା

ସେ ତ ନୁହଇ ନାରୀ, ଗୋ ବେଶ ପୁରୁଷ ପରି

ଶିରରେ ଶିଖିପୁଚ୍ଛ ଖଞ୍ଜିଛି ଲୋ ସଜନୀ

କୁଞ୍ଜ କାନନେ ।୨।

 

ଇନ୍ଦ୍ରସଭାରୁ କି କେ ଗନ୍ଧର୍ବ ଆସିଛି, ଢ଼ଳି ଢ଼ଳି ନାଚୁଛି

ଯେବେ ଗନ୍ଧର୍ବ ହୋନ୍ତା ଗୋ ଅପ୍ସରା ସଙ୍ଗେ ଥାନ୍ତା

ସେ ତ ଗନ୍ଧର୍ବ ନୁହେଁ ଗୋ ଏକା ଭ୍ରମେ ନିର୍ଭୟେ

ମଧୁରକ ବଂଶୀ ଗୀତ ଭାଷୁଛି ଲୋ ସଜନୀ

କୁଞ୍ଜ କାନନେ ।୩।

 

କିଏ ସେ କଳା ଦେବତା କାହୁଁ ଆସିଛି, ମୋତେ ବତା ଗୋ ସଖୀ,

କଇକୁଣ୍ଠ କହଇ ଗୋ ମାନସ ନେଲା ମୋହି

ଥରେ ତାକୁ ଅନାଇ ଗୋ ଭୁଲି ତ ପାରୁନାହିଁ

ମୋ ଶ୍ରେଷ୍ଠ ଇଷ୍ଠ ବୋଲି ଭାବୁଛି ଲୋ ସଜନୀ

କୁଞ୍ଜ କାନନେ ।୪।

***

 

ଗତ ରଜନୀରେ ମିତ ଦେଖିଲି ସ୍ୱପନ

 

ଗଜ ରଜନୀରେ ମିତ ଦେଖିଲି ସ୍ୱପନ

ମୋ ପୁରକୁ ଆସୁଛନ୍ତି, ରେ ସଜନୀ,

ମଦନ ମୋହନରେ, ମଦନମୋହନ ।୦।

 

ନୁପୁର ଶବଦ ବାରି ହୋଇ ତର ତର

ଆଗପଛ ନ ବିଚାରି, ରେ ସଜନୀ

ଖୋଲି ଦେଲି ଦ୍ୱାର ରେ ।୧।

 

ସାଜିଥିବାରୁ ସୁବେଶ ଚାହିଁଦେଲି ନେତ୍ରେ

ଆଜନ୍ମୁ ନ ଦେଖିବାର, ରେ ସଜନୀ

ପରି ହେଲା ପ୍ରତେ ରେ ।୨।

 

ଆଜି ଦିନ ଧନ୍ୟ କହି କଲି ନମସ୍କାର

ମୃଦୁହାସେ ଧରିନେଲେ, ରେ ସଜନୀ,

ପଲଙ୍କ ଉପର ରେ ।୩।

 

ନକ୍ଷତ୍ରମାଳା ତାଙ୍କର ମୋ ବକ୍ଷରେ ଦେଇ

ଭାବବଶେ ମିଶିଗଲେ, ରେ ସଜନୀ,

ମୋର ସଙ୍ଗେ ସେହି ରେ ।୪।

 

ଅଙ୍ଗେ ଅଙ୍ଗ ବଜାନ୍ତେ ମୁଁ ହରାଇଲି ଜ୍ଞାନ

ଚେତନା ଲଭି ଲାଜରେ, ରେ ସଜନୀ,

ଜଡ଼ିଗଲା ମନରେ ।୫।

 

ଭଗାରିଙ୍କ ଭୟେ ଚିତ୍ତ ଚମକିଲା ମୋର

ଶୁଭନ୍ତେ ଜଟିଳା ପାଟି, ରେ ସଜନୀ,

ହେଲେ ସେ ଅନ୍ତର ରେ ।୬।

 

ମନେମନେ ବିଧାତାଙ୍କୁ କଲି କେତେ ନିନ୍ଦା

କହେ ବଇକୁଣ୍ଠ କେଣେ, ରେ ସଜନୀ,

ଭାଜିଗଲା ନିଦ୍ରାରେ ।୭।

***

 

ଗତ ରାତିରେ ସ୍ୱପନ କି ସୁନ୍ଦର ରେ

 

ଗତ ରାତି ସ୍ୱପନ କି ସୁନ୍ଦର ରେ

ଗତ ରାତି ସ୍ୱପନ କି ସୁନ୍ଦର

ରସିକା ଶ୍ରୀମତୀ ସଙ୍ଗତେ ଶ୍ରୀପତି

ଦମ୍ପତିପ୍ରଣୟସାର ରେ ।୦।

 

ଅଧର ଅଧର ଲଗାଇ ମଧୁର

ହାସେ ଭାଷୁଥିଲେ ଗିରରେ

କି ପାଇଲେ ତହୁଁ ଜଣା ତାଙ୍କୁ ସେହୁ

ଆନକୁ ତା ଅଗୋଚର ରେ ।୧।

 

କାମଭାବ ହୃଦେ ନ ଦେଖିଲି ହାଦେ

କେବଳ ପ୍ରେମେ ବିଭୋର ରେ

ନିଷ୍କାମ ପ୍ରେମିକା ହେବ ଯେ ବଣିକ

ଜାଣିବ ସେ କାରବାର ରେ ।୨।

 

ରାସ ଅବସାନେ ବସି ଏକାସନେ

ଦିଶୁଥିଲେ ମନୋହର ରେ

 

 

ବହୁ ଭାଗ୍ୟବଳେ ବସି ପାଦତଳେ

ବ୍ୟଜନ ଚାଲିଲି ଧୀର ରେ ।୩।

 

ଆନ ସଖୀ କେହି ନ ଥିଲେତ ତହିଁ

ଥିଲି ମୁହିଁ ଏକା ସ୍ଥିର ରେ

ଚାହିଁଦେଇ ମୋତେ କି ଭାବି ସେ ଚିତ୍ତେ

ଲାଜେ ନୁଆଁଇଲେ ଶିର ରେ ।୪।

 

ନବତନ ବାସ ଗୁନ୍ଥା ଫୁଲ ବାସ

ଚନ୍ଦନ ଘେନି ମୁଁ କର ରେ

ଶୃଙ୍ଗାର ବେଶରେ ସାଜି ମାନସରେ

ପ୍ରଣମିଲି ପାଞ୍ଚବାର ରେ ।୫।

 

ଦୁର୍ଭାଗ୍ୟରୁ ସିନା ଲଭିଲି ଚେତନା-

ସ୍ମରି ଥରିଲା ଅନ୍ତର ରେ

କହେ ବଇକୁଣ୍ଠ ବଳେ କେଉଁ ଦୁଷ୍ଟ

ଭାଙ୍ଗି ଦେଲା ନିଦ୍ରା ମୋର ରେ ।୬।

***

 

ଘନଶ୍ୟାମ ନିବେଦନ ଘେନ ମୋର ଏଥର ହେ

 

ଘନଶ୍ୟାମ ନିବେଦନ ଘେନ ମୋର ଏଥର ହେ

ତୁମ୍ଭ ପ୍ରୀତି ରୀତି ପାଳି ଛାତି କଲି ପଥର ହେ

ଭାବି ନଥିଲି ମୁଁ କାଳେ

ଏହା ଥିଲା ମୋ କପାଳେ

ବଇଁଶୀର ତାଳେ ତାଳେ

କଲ କିବା ମନ୍ତର ହେ ।୧।

 

ସଜାଇ ତ୍ରିଭଙ୍ଗ ଠାଣି

ମନପ୍ରାଣ ନେଲେ କିଣି

ବଜାଇ କଟି କିଙ୍କିଣି

କଲ କିଣା କିଙ୍କର ହେ ।୨।

 

କେତେ କେତେ ଅପନିନ୍ଦା

ସହି ନ ଲାଗିଲା ବାଧା

କଲି ଛନ୍ଦାପଦ ଫନ୍ଦା

ଭୁଲି କୁଳ ଗୋତର ହେ ।୩।

 

 

 

ସେ ସବୁକୁ ପାଦେ ଠେଲି

ମଥୁରାକୁ ଗଲ ଚାଲି

କେଉଁ ଦୋଷ କଲି ବୋଲି

ରୋଷକଲ ଚିତ୍ତର ହେ ।୪।

 

ଗୀତେ କହେ ବଇକୁଣ୍ଠ

ଯାହା ଇଚ୍ଛା କର କୃଷ୍ଣ

ଘଟ ହେବାବେଳେ ନଷ୍ଟ

ନକରିବ ଅନ୍ତର ହେ ।୫।

***

 

ଚମ୍ପକ ବରନୀ ଧନୀ କରେ ଭାବନା

 

ଚମ୍ପକବରନୀ ଧନୀ କରେ ଭାବନା ଗୋ

ଧନୀ କରେ ଭାବନା

କାହିଁ ସହୀ ରହିଲେ ମୋ କାଳିଆସୁନା ଗୋ ।୦।

 

କ୍ଷଣେ ନ ଦେଖିଲେ ମୁହିଁ ତାହାଙ୍କୁ ସହୀ

ମୁହୂର୍ତ୍ତକ କୋଟି ଯୁଗ ସମ ମଣଇ ଗୋ

ରହିବି ମୁଁ କିପରି କହରେ ସହଚରୀ

ତା କଥା ଝୁରି ଝୁରି ନିଶ୍ଚୟ ଯିବି ମରି

ସରିଯିବ ରାଧା ସୁଖ ସେ ଶ୍ୟାମ ବିନା, ମୋ କାଳିଆ ।୧।

 

ମୋ ଠାରୁ ଅଧିକା ହେଲା କେଉଁ ନାଗରୀ

ଭାବବଶେ ବଶ ହେଲେ ତା ପ୍ରେମେ ହରି

କେ କଲା କି ମନ୍ତର ଏତେ ତାର ଚାତର

ସେ ଲମ୍ପଟନାଗର କଲେ ମୋତେ ଅନ୍ତର

ଗେଲ ଗଉରବ ସବୁ କରିଲେ ଚୂନା, ମୋ କାଳିଆ ।୨।

 

କୃଷ୍ଣନାମ ଗୁଣେ ଅନୁକ୍ଷଣେ ମଜ୍ଜିଲି

ଏହା ସେ କରିବେ ସତେ ଭାବି ନଥିଲି

ମଥୁରା ଗଲେ କହି ଚାରୋଟି ଦିନ ରହି

ଫେରି ଆସିବା ପାଇଁ ଅବଧି ଦେଖା ନାହିଁ

ସେ କାଳୁଁ ଝୁରେ କଦମ୍ୱ, ଝୁରେ ଯମୁନା, ମୋ କାଳିଆ ।୩।

 

ନ ଦେବ ଯେବେ କେ ମୋତେ ଆଣି କାହ୍ନୁ କୁ

କାଳିନ୍ଦୀ ଗଣ୍ତେ ଝାସିବି ଏହି ତନୁକୁ

କାଳୀନାଗୁଣୀ ଖାଉ ସବୁ ଜଞ୍ଜାଳ ଯାଉ

ତା ନାମେ ନିନ୍ଦା ହେଉ କାଳକୁ କଥା ରହୁ

ଶ୍ୟାମ ଲାଗି ରାଇ ମଲା ଉଡ଼ୁଏ ବାନା, ମୋ କାଳିଆ ।୪।

***

 

ଚମ୍ପାବରନା ତୁ ରେ, ମନ କରନା ଶ୍ୟାମରେ

 

ଚମ୍ପାବରନା ତୁ ରେ, ମାନ କରନା ଶ୍ୟାମରେ ।୦।

ମାନସୁ ଆନ ରୀତି

ବରଜି ପ୍ରିୟବତୀ,

ଅଟଳ ରଖି ମତି

ତେଜ ଲଜ୍ୟା ଭୀତି

ରଜନୀଦିବସରେ ମାତ ତା ପ୍ରେମରେ ।୧।

 

ରାଧେ ଜାଣିଛି ମୁହିଁ

ମନୁ ଭୁଲି ନୁହଇ,

ବୃଥା କଥାରେ ତୁହି

ରୁଷନାରେ ସହୀ

ତୋ ଦୋଷ ଧରିବାକୁ ନୋହିବୁ କ୍ଷମରେ ।୨।

 

ଶ୍ୟାମ ତୋ ଗୁଣ ଗୁଣି

ନେତ୍ରୁ ବୁହାନ୍ତି ପାଣି,

ଏହା ତୁ ଭଲେ ଜାଣି-

ଥିବୁରେ ମିତଣୀ

ସୁନ୍ଦର ନ ହେବଟି ଏ ତୋ ଗୁମାନରେ ।୩।

 

ବଇକୁଣ୍ଠ କହଇ

ଇଷ୍ଟ ସବୁରି ସେହି

ଅନ୍ତରଦୃଷ୍ଟି ଫେଇ

ବାରେ ଦିଅ ଚାହିଁ

କୁଞ୍ଜଦୁଆରେ ଛିଡ଼ା ସେ ନବଘନରେ ।୪।

***

 

ଚାହାଁ ଲୋ ସଜନୀ ନିକୁଞ୍ଜବନ ନିପଟ କାଳିଆକୁ

 

ଚାହାଁ ଲୋ ସଜନୀ ନିକୁଞ୍ଜବନ ନିପଟ କାଳିଆକୁ

ନବୀନ ସୁନ୍ଦର ତନୁ ମନୋହର ମୟୁର ଚୂଳିଆକୁ ।ପଦ।

 

ଶୁଣ ରୁଣୁଝୁଣୁ ନୂପୁର ବାଜେ,

ଅଧରେ ମୋହନ ମୂରଲୀ ସାଜେ,

କଟିଦେଶେ ଯାର କିଙ୍କିଣୀ ବିରାଜେ

(ସେଇ) ଯମୁନା କୂଳିଆକୁ ।୧।

 

ବନଫୁଲମାଳ ବକ୍ଷରେ ଦୋଳେ

ଗଣ୍ତରେ ମକରକୁଣ୍ତଳ ଲୋଳେ

ଢ଼ଳି ନାଚେ ଦେଖ ଗୋପ ପୁଅ ମେଳେ

କଦମ୍ୱମୂଳିଆକୁ ।୨।

 

ମୃଦୁହାସେ ଭାଷା କହଇ ଯେବେ

ପତିବ୍ରତା ଦମ୍ଭ ଭାଙ୍ଗଇ ତେବେ

ମନପ୍ରାଣ ସତୀ ସମରପି ଦିଏ

ବରଜଧୁଳିଆକୁ ।୩।

 

 

 

ଥରେ ଯେ ଦେଖାଇ ତା ରୂପ ମିତ

ଜନମ ଜୀବନ ହୁଏ ପବିତ୍ର

ବଇକୁଣ୍ଠ ଭାଳେ ପାଆନ୍ତ କି ଥରେ

ସେ ବନମାଳିଆକୁ ।୪।

***

 

ଚାହିଁବ ଯେ ଶ୍ୟାମଶୋଭା ନେତ୍ରରେ

 

(ଥରେ ) ଚାହିଁବ ଯେ ଶ୍ୟାମଶୋଭା ନେତ୍ରରେ ଗୋ

ଚହଲି ଯିବ ତା ଚିତ୍ତ ସତରେ ଗୋ ।୦।

 

ଧନ୍ୟ ସେହି ବିନ୍ଧାଣୀ ବିଚିତ୍ର ତା କରଣି

ଗଢ଼ିଲା, ସେ ଲୋଡ଼ି ଯାହା ମର୍ତ୍ତ୍ୟରେ ଗୋ

ନବଘନ ଶ୍ୟାମଳ ତନୁକାନ୍ତି କୋମଳ

କଳନା କରିବ କେ ଅନ୍ତରେ ଗୋ ।୧।

 

ରଙ୍ଗଅଧରେ ଧରି ଫୁଙ୍କିଦେଲେ ବାଂଶୋରୀ

ନଶୁଣିବ କେ ଶ୍ରୁତିପଥରେ ଗୋ

ବିରହିଣୀ ଜନଙ୍କ ହୃଦୟ ବିଦାରକ

ବୁଡ଼ାଇଦେବ ବେଦ ବ୍ରତରେ ଗୋ ।୨।

 

ଧୃତିହରା ଏ ମୂର୍ତ୍ତି ନାହିଁ ନଥିବ କ୍ଷିତି

ନାରୀ ମରିବେ ହସ୍ତସନ୍ତରେ ଗୋ

ଦେଖି କାହାର ମତି ନହୋଇବ କରତି

ରତି ଇଚ୍ଛିବେ ସତୀମାତରେ ଗୋ ।୩।

 

 

 

ମୟୂର ପୁଚ୍ଛ ବେଢ଼ା ମନଭୁଲାଣ ଆଡ଼ା

ବାଙ୍କପିଛଡ଼ା ପ୍ରେମମନ୍ତରେ ଗୋ

ବଇକୁଣ୍ଠର ଚିତ୍ତ ବାଞ୍ଚିତ ଦଇବତ

ସୁମରୁଥିବି ଦିବାରାତ୍ରରେ ଗୋ ।୪।

***

 

ଛାଡ଼ ବାଟ ନନ୍ଦଚାଟ ଯିବି ଯମୁନା

 

ଛାଡ଼ ବାଟ ନନ୍ଦ ଚାଟ ଯିବି ଯମୁନା , ହେ କହ୍ନା ଯିବି ଯମୁନା

ହଟହଟା କରି ଏତେ ହଟ ସାଧନା ମୋ ସଙ୍ଗେ ହଟ ସାଧନା ।୦।

 

ପରଘର ଭୁଆସୁଣୀ ନଜାଣ କି ବେଣୁପାଣି

କିଁପା ସବୁଜାଣି ହୁଅ ଅଜଣା, ହେ କାହ୍ନୁ ହୁଅ ଅଜଣା

ବଜାନା ଗୋପରେ ଆଉ ନିନ୍ଦାବାଜଣା ।୧।

 

ସହଜେ ଅବଳା ମୁହିଁ ସଙ୍ଗତେ ସଜନୀ ନାହିଁ

କହୁଛି ଥରେ କହ୍ନାଇ ମାନ ମୋ ମନା

ହେ କହ୍ନା ମାନ ମୋ ମନା

ନଟ ନାଗର ହେ ଆଉ ନାଟ ଲଗାନା ।୨।

 

ଆଗରୁ ତ କେତେଥର କରି ବହୁ ହରବର

କାଖର କଳସୀ ମୋର କରିଛ ଚୂନା, ହେ କହ୍ନା କରିଛ ଚୂନା

ସେଥିପାଇଁ ସହିଅଛି ଯେତେ ଲାଞ୍ଚ୍ଥନା ।୩।

 

ଶୁଣଇ ଯେବେ ନଣନ୍ଦ ଝିଙ୍ଗାସି କହିବ ମନ୍ଦ

ଯମୁନା ସ୍ନାହାନ ବନ୍ଦ ହୋଇବ ସିନା

ହେ ଆଝୁଁ ହୋଇବ ସିନା

କହେ ବଇକୁଣ୍ଠ ରାଈକୁ ଦ୍ୱନ୍ଦ୍ୱେ ପକାନା

ହେ ତାକୁ ଦ୍ୱନ୍ଦ୍ୱେ ପକାନା ।୪।

***

 

ଜାଣି ନଥିଲି ସଜନୀ ସେ କାଳିଆ ରୀତିକି

 

ଜାଣି ନଥିଲି ସଜନୀ ସେ କାଳିଆ ରୀତିକି

ପଥ ହୁଡ଼ି ଅରଜିଲି ତାର ଶଠପ୍ରୀତିକି ।୦।

 

ବାଉଁଶ ବଇଁଶୀ ସ୍ୱନେ ମନ ଦିଏ ଭୁଲାଇ

ହାତ ଠାରି ଆଦରରେ ଡ଼ାକେ କେତେ ଗେହ୍ଲାଇ

ପଡ଼ିଗଲେ ପାଲେ ତାର କେ ପାରେ ବରତି କି

ଦଣ୍ତକେ ଭୁଲାଏ ଜାତି କୁଳ ଗୋତ୍ର ରୀତିକି ।୧।

 

ସୁଧାରୁ ବଳି ତା ପ୍ରେମ ପ୍ରଥମ ଆବେଶରେ

କାଳକୂଟରୁ ଉତ୍କଟ ହୁଏ ପୁଣି ଶେଷରେ

ତଥାପି ତେଜି ପାରୁନି ସମଜାଇ ମତିକି

ଚୂନା କରିଦିଏ କଳାକାହ୍ନୁ ଦମ୍ଭ ଧୃତିକି ।୨।

 

କି ଚାତୁରୀ ନନ୍ଦସୂତା ଜାଣେ ସହୀ ସତରେ

ବ୍ରଜେ ଯେତେ ଯୋଗ୍ୟା ନାରୀ ସବୁ ତାର ହାତରେ

ଦାଣ୍ତେ ମୁଣ୍ତାଇ ବୁଲନ୍ତି ନିନ୍ଦା ଅପଖ୍ୟାତିକି

ଆଲୋକପରି ମଣନ୍ତି ଘୋର ତମ ରାତିକି ।୩।

 

 

 

କମନୀୟ ରୂପ ତାର ଦେଲା ମାତ୍ରେ ଚାହିଁ ଗୋ

ପାଦେ ବଳି ଯିବାକୁ କା’ ମନ ହେବ ନାହିଁ ଗୋ

ଆଗୁଁ ଜାଣିଥିଲେ ଯାଇ ନଥାନ୍ତି ତା କତିକି

ଦୂରୂ ଜୁହାର ସଜନୀ ସେ କାଳିଆ ହାତୀକି ।୪।

 

ଚରାଚର ଖିଳ ସୃଷ୍ଟି ତାହା ଠାରୁ ଜାତ ଗୋ

ସେ ନବରଙ୍ଗିଆ ଜାଣେ କୋଟି ସୃଷ୍ଟି ତତ୍ତ୍ୱ ଗୋ

ଯେ ଯେତେ ମଜିବ ସେତେ ପାଉଥିବ ଶାନ୍ତିକି

ଝୁରି ମରୁ ବଇକୁଣ୍ଠ ତା ପ୍ରେମକୀରତିକି ।୫।

***

 

ତୋ ଲାଗି ମଲେ ବ୍ରଜବାସୀ

 

ତୋ ଲାଗି ମଲେ ବ୍ରଜବାସୀରେ ବରଜ ଶଶୀ

ତୋ ଲାଗି ମଲେ

କାଳ ହେଲା ଅକ୍ରୁର ଆସିରେ

ବରଜି ଶଶି ।୦।

 

କର୍ଣ୍ଣରେ ତୋ ନାମ ଶୁଣିରେ କାଳିଆ

ହେଉଥିଲେ ମନେ ଗୁଣିରେ

ରାତ୍ର ନିଶବଦେ ବଇଁଶୀ ଶବଦେ

ଧାଉଁଥିଲେ ହୋଇ ଖୁସିରେ

ବରଜ ଶଶି ।୧।

 

ନେତ୍ରପଥେ ତୋତେ ଦେଖିରେ କାଳିଆ

ହେଉଥିଲେ କେତେ ସୁଖୀ

ନପାଇ ଦର୍ଶନ ହରାଇ ଚେତନ

ଦିନକୁ ମଣନ୍ତି ନିଶିରେ

ବରଜ ଶଶି ।୨।

 

 

 

ତ୍ରିଭଙ୍ଗେ ତୋ ସଙ୍ଗେ ନାଚିରେ କାଳିଆ

ଗୋପ ଗୋଈ ଥିଲେ ବଞ୍ଚି

ହୃଦେ ଥିଲେ ସଞ୍ଚି ଏବେ ତୁ କି ପାଞ୍ଚି

ହୋଇଲୁ ମଥୁରାବାସୀ ରେ

ବରଜ ଶଶି ।୩।

 

ଛାଡ଼ି ଯଶ ପଉରୁଷ ରେ କାଳିଆ

ତୋ ଠାରେ କଲେ ବିଶ୍ୱାସ

ଦେଖି କେଉଁ ଦୋଷ କରିଲୁ ନିରାଶ

ହସି ପଦେ କହ ଆସିରେ

ବରଜ ଶଶି ।୪।

***

 

ନଟବର ନାଟୁଆ କୃଷ୍ଣ

 

ନଟବର ନାଟୁଆ କୃଷ୍ଣ

କେତେ ଭଙ୍ଗୀ ଜାଣେ ଗୋ ମିତ

ସଙ୍ଗୀ ସଙ୍ଗେ କି ନବରଙ୍ଗେ

ନାଚେ ଗାଇ ବଇଁଶୀ ଗୀତ ।୦।

 

ପାଦେ ରୁଣୁଝୁଣୁ ନୂପୁର ପୁଣି ପିନ୍ଧି ପୀତ ଅମ୍ୱର

ଗଳେ ବନମାଳ ସୁନ୍ଦର

ହୁନ୍ଦରରେ ଟାହିଁଦିଏ ତ ।୧।

 

ଶିରେ ଶିଖୀପୁଚ୍ଛ ସଜାଇ କୁଞ୍ଜେ ସଞ୍ଜେ ବୁଲେ ଗୋ ଯାଇ

ବାଟେ ଦେଖି ସେ ଗୋପଗୋଈ

ମୃଦୁ ହାସେ ମଜାଏ ଚିତ୍ତ ।୨।

 

ନାନ ଚାଟୁ କହି ଗେହ୍ଲାଇ ନୂତନାକୁ ନିଏ ଭୁଲାଇ

ସତୀବ୍ରତ ଦିଏ ଓହ୍ଲାଇ

ଅଟଇ ଗୋ ସେ ବଡ଼ ଧୂର୍ତ୍ତ ।୩।

 

 

 

 

ଥରେ ରାଧା ପୁରେ ପ୍ରବେଶିଯାହା କଲା ଶୁଣ ସୁକେଶୀ

ଡ଼ାକନ୍ତେଣ ଜଟିଳା ଆସି

ହୋଇଗଲା ସେ କଳାଭୂତ ।୪।

 

ସହୀ ! କହେ ମୁଁ ସତକଥା ସବୁରି ସେ ହୃଦଦେବତା

ବଇକୁଣ୍ଠ କରି ତା ଚିନ୍ତା

ପାସୋରିଛି ମାନ ମହତ ।୫।

***

 

ନଥିଲି ଦେଖି ଏପରି ମୂରତି

 

ନଥିଲି ଦେଖି ଏପରି ମୂରତୀ ମୁଁ ଦିନେ ।୦।

 

ନିଦ୍ରା ତେଜି ଭୟ ପାଇ

ଚଞ୍ଚଳେ ଦେଲି ଅନାଇ

ବିଗତ ରଜନୀ ଶେଷଯାମେ ।୧।

 

ସୁନ୍ଦର ଛନ୍ଦା ଚରଣ

କଟିରେ ପୀତବସନ

ଉଭା ଦରହସିତ ବଦନେ ।୨।

 

ଶ୍ରବଣେ ଦୋଳେ କୁଣ୍ତଳ

ଗଳାରେ କୁସୁମ ମାଳ

ଭାଲପଟ ମଣ୍ତିତ ଚନ୍ଦନେ ।୩।

 

ମୁକୁଟେ ମୟୂରଚୂଳ

ଲୋଳଅପାଙ୍ଗ ଯୁଗଳ

ବାଏ ବେଣୁ ରାଧାନାମେ ତାଳେ ।୪।

 

 

 

ଜ୍ଞାନୀ ହରାଇବେ ଜ୍ଞାନ

ମୁନିଏ ତେଜିବେ ଧ୍ୟାନ

ଅନୁଭବ କଲି ଯା ସ୍ୱପନେ ।୫।

 

ଭାବେ ବଇକୁଣ୍ଠ ମତି

ଅନ୍ତକାଳେ ଅନୁଭୂତି

ଲଭନ୍ତା କି ଏମନ୍ତ ବିଧାନେ ।୬।

***

 

ନନ୍ଦ ନରେନ୍ଦ୍ର ଆତ୍ମଜ

 

ନନ୍ଦ ନରେନ୍ଦ୍ର ଆତ୍ମଜ

ମୋ ହୃଦେ କରି ବିରାଜ

ଅଜ୍ଞାନ ଅନ୍ଧର ଆଜ

ଜ୍ଞାନାଲୋକେ ନାଶିଲେ

ସୁମଧୁର ବଂଶୀତାନ

ଶ୍ରୁତିରେ କରାଇ ପାନ

ମନୁ ମାନ ଅଭିମାନ

ପ୍ରେମଜଳେ ଧୋଇଲେ । (ପଦ)

 

ସେ ମୂରତି ଶୋଭା ଦେଖି

ନିରିମାଖି ବେନି ଆଖି

ସର୍ବଦା ସେ ରୂପେ ଲାଖି-

ରହିବା ମନାସିଲେ

ସୂର୍ଯ୍ୟୁ ବଳି ରଶ୍ମି ରାଶି

ଆତ୍ମାକୁ ନେଲା ଆକର୍ଷି

ସମାନ ନୋହିବେ ଶଶୀ

କୋଟି କୋଟି ମିଳିଲେ ।୧।

 

ଇନ୍ଦ୍ରିୟ ସକଳେ ମିଳି

ମନକୁ ସଙ୍ଗତେ ଧରି

ନିଜ ସେବା ଅନୁସରି

ଚରଣରେ ଖଟିଲେ

ଚାରିନେତ୍ର ହୋନ୍ତେ ଯୁକ୍ତ

ଚେତନା ହୋଇଲା ହତ

କି ଅବା ମୋ ପଞ୍ଚଭୂତ

ସେ ରୂପରେ ମିଶିଲେ ।୨।

 

ମୂହୁର୍ତ୍ତକ ପରେ ଜ୍ଞାନ-

ଲଭି ମେଲନ୍ତେ ନୟନ

ନିର୍ତ୍ତନଭଙ୍ଗୀ କରିଣ

ମୃଦୁ ମୃଦୁ ହସିଲେ

ହୁଅନ୍ତେ ତହୁଁ ଅନ୍ତର

କମ୍ପିଲା ମୋ କଳେବର

ବିନ୍ଦୁ-ବିନ୍ଦୁ ଶ୍ରମ ଝାଳ

ସର୍ବାଙ୍ଗରୁ ଖସିଲେ ।୩।

 

କଲି କିବା ଦୋଷ ମୁହିଁ

ସେଥିଲାଗି ରୋଷ ବହି

ମୁଖ ଆଡ଼କରି ଦେଇ

କାହିଁ ଯାଇ ଲୁଚିଲେ

ବଇକୁଣ୍ଠର, ବିଚାର

ଧରି ଜନ୍ମଜନ୍ମାନ୍ତର

ଅନନ୍ତ ଗୁଣ ତାହାର

ନ ସରିବା ଘୋଷିଲେ ।୪।

***

 

ନାରୀ ହୀରା

 

ନାରୀ ହୀରା ଏ କି ଶୁଣାଯାଏ ପରାରେ

ଶ୍ୟାମ ଅଟେ ତୋର ତୁ ପୁଣି ତାହାର

କହନ୍ତି ବରଜସାରାରେ ।୦।

 

ବସି କେତେ ଗୋପୀ ହୋନ୍ତେ ଟୁପିଟାପି

ରାଧାର ଏ କେଉଁ ଧାରାରେ

କେ ବୋଲେ ଲଳିତା ଜାଣେ ସବୁକଥା

ଶୁଣି ହେଉ ଧୈର୍ଯ୍ୟହରାରେ ।୧।

 

ନାରୀହୀରା କରୁଥିଲୁ ମନା ନମାନି ନବୀନା

ଏବେ ତ ପଡ଼ୁଛୁ ଧରାରେ

ବାଳକାଳୁ ଆମ୍ଭେ ଥିଲୁ ତୋର ଭାବେ

ଚିରକାଳ ଅପାସୋରାରେ ।୨।

 

ନାରୀହୀରା ନମଣି ଇତର ପଦିଏ ମାତର

ଉତ୍ତର ଦିଅନି ଖାରାରେ

ବଇକୁଣ୍ଠ କହି ଆଗୋ ପ୍ରେମମୟୀ

ତୁ ଆମ୍ଭ ପ୍ରେମପସାରାରେ ।୩।

 

ନୀପମୂଳେ ଚାହିଁ ଦେଖ ସଜନୀ

 

ନୀପମୂଳେ ଚାହିଁ ଦେଖ ସଜନୀ

କିଏ ହୋଇଅଛି ଛିଡ଼ା ଲୋ

ଅଛି କି ନା ଏ ରୂପ କା ମନଗଢ଼ା ଲୋ ।୦।

 

ଚରଣରେ ନୂପୁର ରୁଣୁଝୁଣୁ ଝଙ୍କାର

କଟି ଦେଶରେ କସିଛି ପୀତଧଡ଼ା ଲୋ

କୁସୁମମାଳା ଗଳେ କର୍ଣ୍ଣେ କୁଣ୍ତଳ ଦୋଳେ

କୁଞ୍ଚିତ କେଶେ ସାଜିଛି ମଲ୍ଲିବେଢ଼ା ଲୋ ।୧।

 

ବଙ୍କା ବଇଁଶୀ କରେ ବାଙ୍କେ ନୟନ ଠାରେ

ଢ଼ଳି ଢ଼ଳି ନାଚେ ସତୀଘରବୁଡ଼ା ଲୋ

ମୁଖେ ମୁରୁକି ହାସ ମନକୁ କରେ ତୋଷ

କୁଳବତୀମାନଙ୍କ ଛଡ଼ାଏ ବ୍ରୀଡ଼ା ଲୋ ।୨।

 

ବିଧିବିଧାନେ ସହୀ ଏ ଚିତ୍ର ଲେଖା ନାହିଁ

ଯେ ଗଢ଼ିଲା କାହୁଁ ସେ କରିଲା ପଢାଲୋ

କାହାର ଏ ନନ୍ଦନ ଧନ୍ୟ ତାହାର ପୁଣ୍ୟ

ପାଇଛି ଯେ ତାହାର କିବା ଆନ ଲୋଡ଼ା ଲୋ ।୩।

 

ଦେଖି ଦେଖି ତା ନାଟ ନଷ୍ଟ ହେଉ ଏ ଘଟ

ଲାଖିରହୁ ଆଖିରେ ତା ଶିଖୀ ଚୂଡ଼ା ଲୋ

ବଇକୁଣ୍ଠର ମନ ତା ରୂପେ ହେଉ ଲୀନା

ଜନ୍ମେ ଜନ୍ମେ ନୋହୁ ସେ ତା କରଛଡ଼ା ଲୋ ।୪।

***

 

ପରମାଦ ହେଲା ସାର ଗୋ ବଉଳ

 

ପରମାଦ ହେଲା ସାର ଗୋ ବଉଳ ପରମାଦ ହେଲା ସାର

ପାଗଳା ମନକୁ ଯେତେ ବୋଧ କଲି ନମାନିଲା ବୋଲ ମୋର

ଗୋ ବଉଳ ।୦।

 

ପରମାନନ୍ଦଙ୍କ ପାଇଁ ନୁହଁ ରଙ୍କ

ମନାକଲି ବାରବାର

ପରନହୁଁ ଖରେ ସଦା ସେହୁ ଚଳେ

ବେଳେ ତ ନୁହଁଇ ସ୍ଥିର ।୧।

 

ପ୍ରବେଶି ଗଗନ-ଗୁମ୍ପାରେ ବହନ

ଶୁଣିଲା ଅବା କି ସ୍ୱର

ପରପଞ୍ଚ ନିଶା ଖାଇଣ ସହସା

ଛାଡ଼ିଲେ ଲୋକ ବେଭାର ।୨।

 

ପାଞ୍ଚପଚିଶରେ ଗଞ୍ଜଣା ହେବାରେ

ହେଲିଣି ମୁହିଁ କାତର

ପୁଣି ତାର ସ୍ମୃତି ଜାଗେ ଅନହୁତି

ଛାତି କମ୍ପେ ଥରହର ।୩।

 

ପବିତ୍ରତା ଫଳ ଜାତି ଗୋତ୍ର କୁଳ

ସବୁ ତ କଲିଣି ଦୂର

ପରବଶ ମନ କରି ରାତ୍ର ଦିନ

ଥିବା ନ ଯୋଗାଏ ଘର ।୪।

 

ପୋଡ଼ୁ ତା ପୀରତୀ ଉଡ଼ୁଛି ଯା କୀର୍ତ୍ତି

ଧ୍ୱଜା ଏହି ତିନିପୁର

ଆଉ ପରଶଂସା ନ ଥାନ୍ତା ଏ ରସା

ପ୍ରେମ ହୋନ୍ତା ଦେଶାନ୍ତର ।୫।

 

ପରକୀୟ ଯାର ନାମଟି ପ୍ରଚାର

ସେ କି ହେବ ଆପଣାର

ପାଇ ବଇକୁଣ୍ଠ ହୋଇଛି ତ ନଷ୍ଟ

ବୁଲୁଛି ବାର ଦୁଆର ।୬।

***

 

ପାସେଦ ପାସୋର ଯାଉନାହିଁ ଲୋ ସଜନୀ

 

ପାସୋର ଯାଉନାହିଁ ଲୋ ସଜନୀ

ଭୁଲି ତ ହେଉନାହିଁ ଲୋ ସଜନୀ

ସେ କହ୍ନାଇ କୀରତି ସୁମରି ସାରା ରାତି

(ତିଳେ) ନୟନେ ନିଦ ନାହିଁ ଲୋ ।୦।

 

ଗୋପେ ଗୋ ଯେତେ ଲୀଳା କରିଲେ ନନ୍ଦବଳା

କହିଲେ ସରିବ ତ ନାହିଁ

ଗୋପାଳ ପୁଅ ସଙ୍ଗେ ଢ଼ଳି ନାଚିବା ରଙ୍ଗେ

ଛିଡ଼ା ତ୍ରିଭଙ୍ଗ ଭଙ୍ଗେ ଦେଖିଲେ ନେତ୍ର ଯୁଗେ

କିଏ ନ ହେବ ମୋହି ଲୋ ସଜନୀ ।୧।

 

ଦିନେ ଗୋ ବାଳକାଳେ ମାଟି ଭକ୍ଷିବା ବେଳେ

ମାତା ଧଇଲେ ଚାଣ୍ତେ ଧାଇଁ

ମେଲାଇ ଦ୍ୟନ୍ତେ ପାଟି ବ୍ରହ୍ମାଣ୍ତ ଅଛି ଘୋଟି

ଜାଣି ଯଶୋଦା ଉଠି ବୁଝିଲେ ନିଜ ତ୍ରୁଟି

ଆଉ ଦଣ୍ତିଲେ ନାହିଁ ଲୋ ସଜନୀ ।୨।

 

 

 

ପାଇ ରାଜା ଆଦେଶ ପ୍ରସନ୍ନେ ପୀତବାସ

ପଦ୍ମ ତୋଳିଲେ ବଳେ ଯାଇ

କୋପେ କାଳୀୟ ଫଣୀ ପାଦେ ଦଂଶିଲା ପୁଣି

ବିଷରେ ବଂଶୀପାଣି ଢ଼ଳି ପଡ଼ିଲେ ଜାଣି

ବିଷ ଘାରିଲା ନାହିଁ ଲୋ ସଜନୀ ।୩।

 

ଆବର କଥା ଶୁଣ ଇନ୍ଦ୍ରର ବଡ଼ପଣ

ଏଡ଼ାଇ ଦେଇଥିଲେ ସେହି

ଟେକିଣ ଗିରିବର ରଖିଲେ ଗୋପପୁର

ହାରିଲା ସୁନାଶିର ପାଦେ କଲା ଜୁହାର

ଏବେ ମରିବେ ଗୋଈ ଲୋ ସଜନୀ ।୪।

 

ମଉଳା କଂସ ରାଟ ମନେ ବହି କପଟ

ଆକଟେ ନେଲାଟି ଡ଼କାଇ,

ଚାରିଦିନକୁ କଣ୍ଟ କରିଗଲେ ଶ୍ରୀକୃଷ୍ଣ

ଗୋପୀଏ ଛାଡ଼ି ହାଟ ଚାହିଁ ଅଛନ୍ତି ବାଟ

ଆଉ ତ ଆସୁନାହିଁ ଲୋ ସଜନୀ ।୫।

***

 

ପ୍ରାଣମିତ କହ ସତ କିସ ବୁଦ୍ଧି କରିବା

 

ପ୍ରାଣମିତ କହ ସତ କିସ ବୁଦ୍ଧି କରିବା

ବଂଶୀଧାରୀ ପ୍ରେମେ ଘାରିହୋଇ ଜୀବ ହାରିବା ।୦।

 

ସେ ନବ ଛଇଳ କାହ୍ନୁ

ମଥୁରାକୁ ଗଲାଦିନୁ

କ୍ଷୀଣ ହୋଇଲାଣି ତନୁ

କେତେ କାଳ ଝୁରିବା ।୧।

 

ସେ ତ ପରକରି ଗଲା

ଗୋପପୁରେ ନଫେରିଲା

କାହା ମୁଖ ଚାହିଁ ଭଲା

ଆମ ଦିନ ସାରିବା ।୨।

 

ଯେବେ ମନେ ଥିଲା ଏହା

ଆଗୁ ନକହିଲା କିଆଁ

କରମ ହୀନିମାନିଆଁ

କାହା ଦୋଷ ବାରିବା ।୩।

 

 

 

ପୂର୍ବ କଥା ମନେ ପଡ଼ି

ଅବସାଦେ ଯାଏ ବୁଡ଼ି

କେତେ ଆଉ ମୁହଁ ମାଡ଼ି

ନଖେ ମହି ଚିରିବା ।୪।

 

ରାଜଜେମା ସୁକୁମାରୀ

ସରିଯିବ ଶ୍ରୀ କିଶୋରୀ

କାହାପାଇଁ ସହଚରୀ

ଅଭିସାର କରିବା ।୫।

 

କହେ ବଇକୁଣ୍ଠ ହୀନ

କହନି ଆରେ ମୋ ଧନ

ଆଉ କି ସେ ଶ୍ୟାମ ପ୍ରେମ-

ମଧୁ ଚାଖି ପାରିବା ।୬।

***

 

ପ୍ରିୟ ସହି କୁଳକଳଙ୍କା କହ୍ନାଇ ଗୋ

 

ପ୍ରିୟ ସହି କୁଳକଳଙ୍କା କହ୍ନାଇ ଗୋ

ବୃଷଭାନୁ ଝିଅ ପାଇଣ କି ସ୍ନେହ

ରସିଲେ ବଙ୍କାଟା ପାଇଁ ଗୋ ।୦।

 

ଦେଖାଇ ସୁଆଗ ଗଉଡ଼ିଆ ପାଗ

ବଙ୍କା କରି ବାନ୍ଧିଥାଇ ଗୋ

ମୟୂରଚନ୍ଦ୍ରିକା କରି ବଙ୍କା ଟଙ୍କା

ଖୋସିଣ ଦେଖାଏ ଛଇ ଗୋ ।୧।

 

ବଙ୍କା ନେତ୍ର ଠାରି ବଙ୍କା ବଂଶୀ ଧରି

ବକ୍ର ଗତିରେ ଫୁଙ୍କଇ ଗୋ

ବଙ୍କା ବେକ ଅଣ୍ଟା ବଙ୍କା ସବୁ କଥା

ତିନି ବାଙ୍କରେ ଚାଳଇ ଗୋ ।୨।

 

ବଙ୍କା ଚାଟୁ କହି ବଣରେ ବୁଲାଇ

ବୃନ୍ଦାକୁ ଯା’ କଲା ସେହି ଗୋ

ବାର ବୁଦା ତଳେ ବୋବାଇ ବିକଳେ

ବୁଲିଥିଲେ ଗୋପଗୋଈ ଗୋ ।୩।

 

ବଇକୁଣ୍ଠ ଗିରି ବାଙ୍କଚୂଳିଆର

ଫାନ୍ଦରେ ପଡ଼ିବୁ ନାହିଁ ଗୋ

ବଙ୍କା କପାଳକୁ ବଳ ନଥିବାକୁ

ବୁଡ଼ିଲି ତା ପ୍ରେମେ ମୁହିଁ ଗୋ ।୪।

***

 

ବାଜୁପଛେ ନିନ୍ଦା ବାଜା

 

ବାଜୁପଛେ ନିନ୍ଦା ବାଜା ମୋ ନାମେ

ସେ ଶ୍ୟାମ ମୂରତି ଅନ୍ତରରେ ଚିନ୍ତି

ନିତି ମନ ମାତି ଥାଉ ତା ପ୍ରେମେ ।୦।

 

ଶ୍ରୁତିରେ ବାଜନ୍ତେ ବଇଁଶୀ ସଙ୍ଗୀତ

ପାସୋରି ପକାଏ ଆନ କଥା ମିତ

ବେଦବିଧି ବ୍ରତ ହୁଏ ଅନ୍ତର୍ହିତ

ତା ଭାବ କେବଳ ଜାଗେ ମରମେ ।୧।

 

ନିନ୍ଦା ପରଶଂସା ନାହିଁ ତ ମୋ ଆଶା

ତାର ଇଚ୍ଛା ପୂର୍ଣ୍ଣ ହେଉ ଗୋ ସହସା

ଛାଡ଼ି ସେ ଭରସା ଉଡ଼ିଯିବ ହଂସା

ସଂସାରେ ସନ୍ତୁଳି ହେବି ଭରମେ ।୨।

 

ସବୁରି ଅଟଇ ସେ ଆଶ୍ରୟସ୍ଥଳ

କରମ ସକଳ ତା ବିନୁ ବିଫଳ

ପବନ ଅନଳ ନଦୀ ଗିରିମାଳ

ସକାଳେ ଚଳନ୍ତି ତାର ନିୟମେ ।୩।

 

ମୁହୂର୍ତ୍ତେ ସେ ଛବି ନଦେଖି ନୟନେ

କୋଟି ଯୁଗ ବିତିଯିବା ପରି ମଣେ

ବଇକୁଣ୍ଠ ଭଣେ ନିନ୍ଦନ୍ତୁ ବା ପଣେ

ତା ଦେହେ ମିଶିବ ମୁହିଁ ଚରମେ ।୪।

***

 

ବୃଥାରେ କଲି ମୁଁ ବସି ତା ଲାଗି ଭାବନା

 

ବୃଥାରେ କଲି ମୁଁ ବସି ତା ଲାଗି ଭାବନା

ସଖୀ ତା ଲାଗି ଭାବନା

କପଟ କରିଲା ପରା ସେ କାଳିଆସୁନା ।୧।

 

ତାହା ପାଇଁ ତରତରେ ଗୋ ଯାଏ ମୁଁ ଯମୁନା ତୀରେ

ଘାଟେ ବାଟେ ଦେଖି ଥରେ ପୁରାଏ କାମନା ଗୋ

(କେତେ) ଚାଟୁ କଥା କହେ ନନ୍ଦକହ୍ନା ।୨।

 

ତାହା ଲାଗି ମୋ ଜୀବିକା ଗୋ ତା ମିମନ୍ତେ ଦଧିବିକା

ସେ ତ କରିଗଲା ଏକା କେଉଁ ଦୋଷୁ ସିନା ଗୋ

ସାର ହେଲା ତା ଗୁଣବାହୁନା ।୩।

 

ତା ପାଇଁ ବରଜଯାକ ଗୋ କେ କେତେ କହନ୍ତି ଲୋକ

ତହିଁକି ନଥାଏ ଦକ ନକରେ ଭାବନା ଗୋ

ନମାନେ ମୁଁ ଗୁରୁଜନ ମନା ।୪।

 

ଯାହା ତା ଇଚ୍ଛା ସେ କରୁ ଗୋ.(ମୁଁ) ଭୁଲି ନ ଯିବି ମନରୁ

ତା ନାମକୁ ଝୁରି ଝୁରି ତନୁ ହେଉ ଚୂନା ଗୋ

ବଞ୍ଚିବ କି ବଇଆ ତା ବିନା ।୫।

 

ବଂଶୀରେ ଆଉ ବାଜନା ରାଧା ନାମରେ

 

ବଂଶୀରେ ଆଉ ବାଜନା ରାଧା ନାମରେ

ସେ ବୃଷଭାନୁ ନନ୍ଦିନୀ ବ୍ରଜ କୁଳ ଭୁଆସୁଣୀ

ବାଧା ଦିଅନା ତା ପ୍ରତି କାମରେ ।୦।

 

ଗୋପରେକେତେ ନାଗରୀ ନାହାନ୍ତି ବା ଆଉ

ତା ନାମରେ କିଆଁ ନିତି ଭାଉଁ ଭାଉଁ ହେଉ

ତୁ କି ଜାଣୁ ତାର ଭାଉ ତା ସାଙ୍ଗେ ସାଧୁଛୁ ଦାଉ

ମଣୁ କି ଆନ ରମଣୀ ସମରେ, ବଂଶୀରେ ।୧।

 

ପ୍ରବେଶି ତା କାନେ ମନ ଦେଉ ଦୋହଲାଇ

ସହଜେ ନବ ଅବଳା ନପାରେ ସେ ସହି

ଘରକୋଣେ ବସି ପୁଣି ସଦା ତୋ ଗୁଣକୁ ଗୁଣି

ବାହୁନଇ ସତୀ ମତିଭ୍ରମରେ, ବଂଶୀରେ ।୨।

 

ବାଉଁଶ ଖଣ୍ତେ ମାତର ଏଡ଼େ ତୋ ଚାତର

ତୁ କି କରନ୍ତୁ ଏତକ କହ୍ନାଇ ଫିକର

ପଡ଼ିଲେ ଶ୍ରୀମତୀ ହାତେ କ୍ଷଣକେ ସାରନ୍ତା ତୋତେ

ସରି ଯାନ୍ତା ତୋର ଗୁଣଗ୍ରାମରେ ବଂଶୀରେ ।୩।

 

ଯାହା ବାଜିଲେ ବାଜିଲୁ ଆଉ ତୁ ବାଜନା

ଆମ୍ଭ ପ୍ରାଣ ସଙ୍ଗିନୀର ଧଇର୍ଯ୍ୟ ହଜାନା

ବଇକୁଣ୍ଠର ଏତକମାତର ବିନୟ ରଖ

ଶପଥ ତୋତେ ତୋ ଶ୍ୟାମ ନାମରେ ବଂଶୀରେ ।୪।

***

 

ବଂଶୀରେ ତୁହି ମହତସରା

 

ବଂଶୀରେ ତୁହି ମହତସରା, ବଂଶୀରେ

ବିକାଶେ ତୋ ଗୁଣ ବରଜ ସାରା ।୦।

 

କାହ୍ନୁ ହାତେ ତାନମାନେ ଗରଜି

ପବିତ୍ରତା ଧୃତି ଦେଲୁ ତୁ ଭାଜି,ବଂଶୀରେ ।୧।

 

ତୋ ଲାଗି ସିନା କଳଙ୍କିନୀ ରାଧା

ଶତ ଶାସ୍ତ୍ର ଆଜି ଗାଏ ତା ନିନ୍ଦା, ବଂଶୀରେ ।୨।

 

ସତ କହନି ତୁ ଶ୍ୟାମକୁ ଚାହିଁ

କାହା ଚିତ୍ତ ନ ନେଇଛୁ ଚୋରାଇ, ବଂଶୀରେ ।୩।

 

ମୋ ହାତରେ ଥରେ ପଡ଼ନ୍ତୁ ଯେବେ

ସାରି ଦିଅନ୍ତି ତୋ ଚାତର ତେବେ, ବଂଶୀରେ ।୪।

 

ବଇକୁଣ୍ଠ କହେ ତୋ ଗୁଣ ମନ୍ଦ

ପର ବଧୂ ପାଇଁ ପାତିଲୁ ଫାନ୍ଦ, ବଂଶୀରେ ।୫।

***

 

ମିତଣୀ, ଶ୍ୟାମ ପ୍ରେମ ପଡ଼େ ମନେ, ମିତଣୀ

 

ମିତଣୀ, ଶ୍ୟାମ ପ୍ରେମ ପଡ଼େ ମନେ, ମିତଣୀ

ଦିବାରାତି ନିତି ସେହି କଥା ଚିନ୍ତି

ନିଦ୍ରା ନଆସେ ନୟନେ-ମିତଣୀ ।୦।

 

ବିଳାସ ବ୍ୟସନ ବନ୍ଧୁ ପରିଜନ

ଭୁଲିଯାଏ ପ୍ରତିକ୍ଷଣେ

ମୁରଲୀର ସ୍ୱନ ପରଶିଲେ କର୍ଣ୍ଣ

ଦେହଜ୍ଞାନ ହଜେ କେଣେ ।୧।

 

ଗୁରୁଜନ ଡ଼ରେ, ନକହେ ବାହାରେ

ବସିରହେ ଘରକୋଣେ

ସେ ମୋହନ ଛବି ଅନ୍ତରରେ ଭାବି

ନିଜକୁ କୃତାର୍ଥ ମଣେ ।୨।

 

ଆହାକି ସରସ ତା ମୁରୁକି ହସ

ହସି ମୁନି ମନ କିଣେ

ଧରଣୀରେ କେହି ତାହା ସମ ନାହିଁ

କାହିଁ ତ ନ ଦିଶେ ଜଣେ ।୩।

 

ତା ପାଦ ତୁଳସୀ ପାନେ ହୋଇ ଖୁସୀ

ଦିନା ନେବି ତା ସ୍ମରଣେ

ହୋଇ ମନ ଲୋଭା, କରୁଥିବି ସେବା

ଦାସୀ ପରି ଶ୍ରୀଚରଣେ ।୪।

 

ଶୁଣି ରାଧା ବ୍ୟଥା ଭାଷଇ ଲଳିତା

ଧୈର୍ଯ୍ୟ ଧରି ରହ କ୍ଷଣେ

ଦେବେ ଦରଶନ ମଦନମୋହନ

ଦାସ ବଇକୁଣ୍ଠ ଭଣେ, ମିତଣୀ ।୫।

***

 

ମିତ ନନ୍ଦସୁତ ଛଇଳା ଗୋ

 

ମିତ ନନ୍ଦସୁତ ଛଇଳା ଗୋ

ବଂଶୀ ବାଇ ବିଶ୍ୱ ମୋହିଲା ଗୋ

ଯେ ଦିନୁ ସେ ସ୍ୱନ ଶୁଣିଲା ମୋ କର୍ଣ୍ଣ

ଆନ କଥାକୁ ନ ଗ୍ରହିଲା ଗୋ ।୦।

 

ସଖୀଠାରୁ ଦେଖି ତା ଚିତ୍ରପଟ

ନ ମାନିଲା ମନ କାହା ଆକଟ

ମୁଣ୍ତାଇଲି ମୁଣ୍ତେ କଳଙ୍କ ମୁକୁଟ

ତା ପୀରତି ତେଜି ନୋହିଲା ଗୋ ।୧।

 

କ୍ଷଣେ ନ ଦେଖିଲେ ତାହାକୁ ମୁହିଁ

କୋଟି କଳ୍ପ ସମ ଲାଗଇ ସହୀ

ମୋ କୁଳ-ଗୋତର ସେ କଳା କହ୍ନାଇ

କାଳ କାଳକୁ ତ ହୋଇଲା ଗୋ ।୨।

 

ମୋ କଥାରୁ ମୁହିଁ ପାରୁଛି ଜାଣି

କାହାକୁ କି କରି ନଥିବ ପୁଣି

 

 

ସତ କହନ୍ତୁ ତ ବରଜ ତରୁଣୀ

କାହା ଧୈର୍ଯ୍ୟଦମ୍ଭ ରହିଲା ଗୋ ।୩।

 

ବଇକୁଣ୍ଠ କହେ ଶୁଣ ମିତଣୀ

ଥରେ ଯେ ଦେଖିଛି ବାଙ୍କ ଚାହାଣି

ନିଶିଦିନ ତାର ଗୁଣ ନ ବାହୁନି

ରହିବି କି କେଉଁ ମହିଳା ଗୋ ।୪।

***

 

ମିତ ନେତ୍ରେ ଦର୍ଶନ କର

 

ମିତ ନେତ୍ରେ ଦର୍ଶନ କର

ନୂଆ ନାଟୁଆ ଏ ଗୋପପୁରର

ନିତି ନବରଙ୍ଗେ ତ୍ରିଭଙ୍ଗିମା ଭଙ୍ଗେ

ନାଚୁଥାଏ ବୁଲି ବାରଦୁଆର ।୦।

 

ସୁମଧୁର ବଇଁଶୀ ବାଇ

ତାଳ ତୋଳେ ତାଥେଇ ଥେଇ

ସର୍ବଜନମନ ନିଅଇ ସେ ମୋହି

ନ ଥାଏ ତ ତାର ଆପଣା ପର ।୧।

 

ଶ୍ରଦ୍ଧା ସହ ଯେ ଦିଏ ଯାହା

ସାଦରରେ ଘେନଇ ତାହା

ଆଉଁ କେଉଁଠାରେ ନାହିଁ ତାର ରାହା

ରହେ ପ୍ରୀତିପୁରେ ରାଧାବଜାର ।୨।

 

ନାଚେ ଗାଏ ବାଜା ବଜାଏ

ନିଜେ ନାଚି ଆନେ ନଚାଏ

 

 

ପ୍ରେମିକଙ୍କୁ ପ୍ରେମ ମନ୍ତର ଶିଖାଏ

ସ୍ନେହ-ଭକ୍ତି-ଧନ ଲୋଡ଼ା ତାହାର ।୩।

 

ନାମ ତାର ଅଟେ କହ୍ନାଇ

କଥା କହେ ମନ ମନାଇ

ଥରେ ଦେଲେ ଚାହିଁ ହୋଇଯିବୁ ବାଇ

ଶିରେ ଶିଖୀପୁଚ୍ଛ କି ମନୋହର ।୪।

 

ତାର ଶିକ୍ଷା ଆଦେଶ ମାନି

ଯେ ଚଳିବ ସେ ହେବ ଧନୀ

ବଇକୁଣ୍ଠ ସମ ନୋହି ଅଭିମାନୀ

ଉଦାସେ ଭ୍ରମିବ ସାରା ସଂସାର ।୫।

***

 

ମୁରଲୀ ବଜାନା ଆଉ ନିକୁଞ୍ଜ ରଜାରେ

 

ମୁରଲୀ ବଜାନା ଆଉ ନିକୁଞ୍ଜ ରଜା ରେ

ଶୁଣି ହୁଅନ୍ତି ଉଚ୍ଛନ୍ନ ଗୋପୀ ପରଜା ରେ ।୦।

 

ବୃଷଭାନୁ ରାଜା ଝିଅ

ମନେ ଜାଗେ ମହାଭୟ

ଡ଼ାକି ତାକୁ ଅହରହ

ନଦେ ଏ ଲଜ୍ଜା ରେ ।୧।

 

ନିଷ୍ଠା ନିୟମ ନ ରଖି

ମନ ଇଚ୍ଛା ଦେଉ ଫୁଙ୍କି

ଛକି ଆମ୍ଭ ହଟ ଦେଖି

ପାଉ କି ମଜା ରେ ।୨।

 

ଦାଣ୍ତେ ଘାଟେ ସେଥିପାଇଁ

ମୁଣ୍ତଟେକି ହେଉ ନାହିଁ

ବ୍ରଜ ବଜାରେ ଉଡ଼ଇ

କଳଙ୍କଧ୍ୱଜା ରେ ।୩।

 

 

 

ସ୍ୱର ଦେଇ କି ମନ୍ତର

କରୁ ଏତେ ହରବର

ନାଗରୀଙ୍କୁ ନଟବର

ଭୋଗାଉ ସଜା ରେ ।୪।

 

ତେଜିଣ ସକଳ ଧନ୍ଦା

ତୋର ନାମ କଲେ ଫନ୍ଦା

ବଇକୁଣ୍ଠ ନାମେ ନିନ୍ଦା

ବାଜା ନ ବଜାରେ ।୫।

***

 

ଯାହା ତାର ଇଚ୍ଛା ହେଉ ଗୋ ସଜନୀ

 

ଯାହା ତାର ଇଚ୍ଛା ହେଉ ଗୋ ସଜନୀ

କେତେ ମୁଁ କହିବି ଆଉ ଗୋ,

ନ ମାନିଲା ମନା ନନ୍ଦପୁଅ କହ୍ନା

ଏଡ଼ିକି ଅଝଟ ସେହୁ ଗୋ ।୦।

 

କୁଳରୁ ବାହାର କରିବ ଏଥର

ଲଗାଇଲାଣି ସେ ଦାଉ ଗୋ,

ସରିଯିବ ସହୀ ସରମରେ ମୁହିଁ

ଅଟକ କରିଲେ ସେହୁ ଗୋ, ସଜନୀ ।୧।

 

ମୋ ଶାଶୁ ଜଟିଳା ନଣନ୍ଦ କୁଟିଳା

ତଡ଼ିଦେବେ ଚାହୁଁ ଚାହୁଁ ଗୋ,

 

 

ବ୍ରଜ ଗାଆଁ ସାରା ବଜାଇ ନାଗରା

ପରକୀୟା ଆମ ବୋହୁ ଗୋ ।୨।

 

ଶ୍ୟାମ ବଂଶୀ ସ୍ୱର ଆହା କି ସୁନ୍ଦର

ଥରେ ଶୁଣିଥିବ ଯେହୁ ଗୋ,

ହେଲେ ହେଉ ସତୀ ଯେଡ଼େ କୁଳବତୀ

ଜ୍ଞାନ ହରାଇବ ଦେହୁ ଗୋ ।୩।

 

ଗଲାଣିତ ଗ୍ରାସୀ ମୋ ଅଙ୍ଗକୁ ଆସି

ଚନ୍ଦ୍ରଙ୍କୁ ଯେସନେ ରାହୁ ଗୋ,

ବିବେକରତନ ହୋଇଲାଣି ଚୂର୍ଣ୍ଣ

ତାର ଲାଗି ଜୀବ ଯାଉ ଗୋ ।୪।

 

ତା ଚରଣ ତଳେ ମୋ ସର୍ବସ୍ୱ ବଳେ

ସମର୍ପିବି ବେଳେ ଥାଉଁ ଗୋ,

କରି ତାକୁ ଇଷ୍ଟ ମରୁ ବଇକୁଣ୍ଠ

କାଳେ କାଳେ କୀର୍ତ୍ତି ରହୁ ଗୋ ।୫।

***

 

ରଖିବେ କି ରାଧେ ଚାକର ଗୋ

 

ରଖିବେ କି ରାଧେ ରାକର ଗୋ

ଜୀବନବନ୍ଧୁଙ୍କୁ ପଚାର ଗୋ

ଚିତ୍ତେ ଦୟାବହି ଚିତ୍ତଚୋରେ କହି

ଦିଅ ଚନ୍ଦ୍ରମୁଖୀ ଉତ୍ତର ଗୋ ।୦।

 

ଚାରି ଚରଣକୁ ଚିତ୍ର କରିବି

ଶୃଙ୍ଗାର ସଜରେ ସଜାଉଥିବି

ଟୋପି ଟୋପି ଗୋପୀ ଚନ୍ଦନ ମଣ୍ତିବି

ସଜାଡ଼ିବି ଘନ ଚିକୁର ଗୋ ।୧।

 

ଗଳେ ବନମାଳ ଦେଇ ଯତନେ

ବିଡ଼ିଆ ଭୁଞ୍ଜାଇ ଦେବି ବଦନେ

ଖିଆଲ ସଙ୍ଗିନୀ ସଙ୍ଗେ ମୋତେ ଜଣେ-

ମଣି ଗଣ ତାଙ୍କ ଭିତର ଗୋ ।୨।

 

ସୁନାଗୋରୀ ଜଳଝରି ମୁଁ ଧରି

ବାରିଜାକ୍ଷି ଥିବି ପାଶେ ତୁମରି

 

 

ରାସପ୍ରାନ୍ତେ ବହନ୍ତେଣ ସ୍ୱଦବାରି

ସଧୀରେ ଚାଳିବି ଚାମର ଗୋ ।୩।

 

ବେତନ ତ କେବେ ନ ନେବି ବେଶୀ

ବିଲୋକି ଶ୍ରୀମୁଖ ଶୁଣିବି ବଂଶୀ

କବଳ କରିବି ମୁଁ ବାସି ତୁଳସୀ

ନ ଲୋଡ଼ିବି ଖଣ୍ତ ସାକର ଗୋ ।୪।

 

ଦେବି ମନ ପ୍ରାଣ ତୁମରେ ବିକି

ନ ହେବି ଜୀବନେ ଆନ ସେବକୀ

ଶେଷେ ବଇକୁଣ୍ଠେ ନ ଦେବଟି ଠକି

ଦରମା ଦର୍ଶନ ମାତର ଗୋ ।୫।

***

 

ରସ-ରାସ-ରସେ ସୁମନାରେ

 

ରସ ରାସ ରସେ ସୁମନା ରେ

ଶ୍ୟାମରେ ନୁହଁ ବିମନା ।୦।

 

ବିଶ୍ୱଆରାଧିକା ତୁହି ଗୋ ରାଧିକା

ରାସେଶ୍ୱରଠାରୁ ତୋ ଗୁଣ ଅଧିକା

ତେଜ ତେଜ ଅଭିମାନ ରେ ରସିକା

ମୋ ରାଣ ପରାଣଧନ କର ତୁ ଘେନା ।୧।

 

ବାନ୍ଧି ତୋ ପ୍ରେମରେ, ସେ ଘନଶ୍ୟାମରେ

ରଖାଇଛୁ ଟେକ ତିନି ଭୁବନରେ

ନାହିଁ ନାହିଁ ନାରୀ କେହି ତୋ ସମରେ

କିପରି ପାସୋରି ପାରିବୁ ରେ ନବୀନା ।୨।

 

ତୋ ଗୁଣ ସୁମରି, ବରଜବିହାରୀ

ବୃନ୍ଦାବନେ ବୁଲି ବଜାନ୍ତେ ବାଂଶୋରୀ

ତାନେ ମାନେ ନାଦ କାନେ ଗଲେ ପୂରି

ଭରମେ ମରମେ ଘାରି ହେବୁଟି ସିନା ।୩।

 

 

 

ଭାଷେ ବଇକୁଣ୍ଠ କହି କୃଷ୍ଣ କୃଷ୍ଣ

ହୃଷ୍ଟ ଚିତ୍ତେ ନୀପ କୁଞ୍ଜେ ତାଙ୍କୁ ଭେଟ

ଝଟ ଝଟ ଉଠ ନ କର ଗୋ ମଠ

ତୋ ବିନା ତା ମନେ ନାହିଁ ଆନ କାମନା ।୪।

***

 

ରାଧାନାମେ ଶାଦାବଂଶୀ ବାଜ ନା ତୁ ଏତେ ରେ

 

ରାଧାନାମେ ଶାଦାବଂଶୀ ବାଜ ନା ତୁ ଏତେ ରେ

ମାନ ଥରେ ମନା ମୋର ଶ୍ୟାମରାଣ ତୋତେ ରେ ।୦।

 

ଶୁଣାଇ ସଦା ସେ ସ୍ୱନ ସାରିଲୁ ସବୁ ଗୁମାନ

ସହିଛୁ ତୋ ଲାଗି ଜାଣ ଗଞ୍ଜାଣା ମୁଁ କେତେ ରେ ।୧।

 

କୁଟିଳା ମୋର ନଣନ୍ଦ ନିତି ଲଗାଉଛି ଦ୍ୱନ୍ଦ୍ୱ

ଶାଶୁ ଅଟେ ଅତି ମନ୍ଦ ନିନ୍ଦେ ଯେତେ ଯେତେ ରେ ।୨।

 

ସତୀ ପତିବ୍ରତାପଣ କରିଦେଲୁ ଅକାରଣ

ଜାଣି ନଥିଲି ଦୂଷଣ ଦେବୁ ବୋଲି ମୋତେ ରେ ।୩।

 

କରୁଛି ଦୂରୁ ଜୂହାର ବଦଳାଇ ଦିଅ ସ୍ୱର

ନିନ୍ଦା ନିଶାଣ ଏଥର ନ ଉଡ଼ା ଜଗତେ ରେ ।୪।

 

ବଂଶୀ ତୋ ଶରଣ ନେଲି ବାଜ ଥରେ ଶ୍ୟାମ ବୋଲି

ରଖ ବଇକୁଣ୍ଠ ଅଳି ଦୟା ବହିଚିତ୍ତେ ରେ ।୫।

***

 

ରାସସଙ୍ଗିନୀ ସରୋଜବଦନୀ

 

ରାସସଙ୍ଗିନୀ ସରୋଜବଦନୀ ଆଉ ରୁଷନା ସହୀ ରେ

ତୋ ପ୍ରେମ ସୁମରି କୁଞ୍ଜବନେ ହରି

କଞ୍ଜନେତ୍ରେ ଅଛନ୍ତି ତୋ ବାଟ ଚାହିଁ ।୦।

 

(ପଡ଼ି) ଝଟ କରି ତୁ ଉଠ ଆଉ ନ କର ମଠ

କାମ ପାମର ଦୁଷ୍ଟ ଦେବ ବହୁତ କଷ୍ଟ

ସେ ଶିଖଣ୍ତ ମୁକୁଟ ସଖି ବହନ ଭେଟ

ଯେବେ କରିବୁ ହଟ ବେଳ ଯିବ ବହିରେ ।୧।

 

ସଞ୍ଜ ହେଲା ଆସି ଶୁଣରେ ସୁକେଶୀ

ସାର ଯା ସୁବେଶ ଅଭିସାର ପାଇଁ

(ପଡ଼ି ଆରେ ପରାଣ ଧନ ଯା ଲାଗି କରୁ ମାନ

ସେ ପରା ତୋର ଜାଣ କିଣାକିଙ୍କର ପୁଣ

ପକାଇଛନ୍ତି ରାଣ କରି ତାଙ୍କୁ କାରଣ

ଦେଉଛନ୍ତି ନିଶାଣ ତୋ ନାମେ ବେଣୁବାଇ ।୨।

 

ଚାଲ ମୋର ସଙ୍ଗେ ବନପଥେ ରଙ୍ଗେ

ବ୍ରଜରାଜ ଶ୍ୟାମ ସରଣୀକୁ ଧ୍ୟାୟି

(ପଡ଼ି) ମୃଦୁମନ୍ଦ ଗତିରେ ଯିବା ଗୋ ଧୀରା ଧୀରେ

ଛନ୍ଦି କରକୁ କରେ ପ୍ରବେଶିବା ସେଠାରେ

ଦୂରୁ ଅନାଇ ତୋରେ ଧରିନେବେ ଆଦରେ

ରହିବୁ ଗୋ ସାଦରେ ତାଙ୍କ ପାଶରେ ତୁହି ।୩।

 

କୁଞ୍ଜଠାକୁରାଣୀ ଶ୍ରୀ କିଶୋରୀମଣି

ଶୁଣି ସଖୀବାଣୀ ପରିତୋଷ ହୋଇ

(ପଡ଼ି) କରି ମାନ ବର୍ଜନ କଲେ କୁଞ୍ଜେ ଗମନ

କରି କୃଷ୍ଣ ଦର୍ଶନ ଧନ୍ୟ କରିବେ ପ୍ରାଣ

ବଇକୁଣ୍ଠର ମନ ସେ ରାଧା ପାଦେ ଧ୍ୟାନ

ଦେଇଣ ସରୁ ଦିନ ଆନମନା ନ ହୋଇ ।୪।

***

 

ରୁଷନା ରାମାରତନ ମାନ ମୋ ମନା ରେ

 

ରୁଷନା ରମାରତନ ମାନ ମୋ ମନା ରେ

ବାସର ରଜନୀ ସାରା ଶୋକେ ସାରନା ରେ ।୦।

 

ଏଥରକ ଶ୍ୟାମ ଦୋଷ

କ୍ଷମା କର ରେ ବାଳୀଶ

ମନରୁ ତେଜ ବିରସ

ନବନବୀନା ରେ ।୧।

 

ସଖି ମୁଁ ଧରୁଛି କର

କହ ପଦେ ଚାଟୁଗୀର

ସେ ପରା କିଣା ତୋହର

ଆନ ମଣନା ରେ ।୨।

 

ଛାଡ଼ି ମନୁ ଅଭିମାନ

ଟେକ ତୋ ଚନ୍ଦ୍ର ବଦନ,

ଏ ରୀତି ଦେଖି ମୋହନ

ସରିବେ ସିନା ରେ ।୩।

 

 

 

ବଇକୁଣ୍ଠ କହେ ଥରେ

ଅନା ତୁ ଆଡ଼ ନେତ୍ରରେ

ବିଜେ ତୁ କୁଞ୍ଜ ଦୁଆରେ

ସେ ନନ୍ଦକହ୍ନା ରେ ।୪।

***

 

ରେ ସଜନୀ ବିଚିତ୍ର ସେ ବଂଶୀ ଧ୍ୱନି

 

ରେ ସଜନୀ ବିଚିତ୍ର ସେ ବଂଶୀଧ୍ୱନି କି ମନ୍ତ୍ର ସେ ଶିଖି, ସ୍ୱରେ

ଦେଲା ଫୁଙ୍କି ଚୁମ୍ୱିଲା ମୋ ଶ୍ରୁତି ପୁଣି ରେ ।।୦।।

 

ଥରିଗଲା ମୋର ଭିତର ବାହାର ହୋଇଗଲି ପାଗଳିନୀ

ଗୋପ ଜନପଦ ବ୍ୟାପେ ଅପବାଦ ରାଧାର ମୁରଲୀପାଣି ରେ ।।୧।

 

ସଂସାର କାମନା ସବୁ କଲା ଚୂନା ବିଷସମ ସଖିଶ୍ରେଣୀ

ଥିବାରୁ ଲଳିତା ରଖିଲା ମୋ ଚେତା ମନକଥା ମୋର ଜାଣିରେ ।।୨।

 

ଥାଇ ଗୃହକର୍ମେ ବାଜିଲେ ମରମେ ଖସିପଡ଼େ ଖୋସା ବେଣୀ

ଗୁରୁଜନଡ଼ରେ ଲାଜେ ନ ବାହାରେ ସହଜେ ତ ଭୂଆସୁଣୀ ରେ ।।୩।

 

ଅଶନ ବସନ କାହିଁରେ ମୋ ମନ ମାନୁନାହିଁ ରେ ମିତଣୀ

ଦେଖିଲେ ତା ରୂପ ଦୂର ହେବ ତାପ ଦ୍ୱିଜ ବଇକୁଣ୍ଠ ଭଣି ରେ ।।୪।

***

 

ଶ୍ୟାମ ତୁମ ପ୍ରେମେ ମାତି ଅତି ଦୁଃଖୀ ହୋଇଲି

 

ଶ୍ୟାମ ତୁମ ପ୍ରେମେ ମାତି ଅତି ଦୁଃଖୀ ହୋଇଲି

କଳଙ୍କ ମୁକୁଟ ଚିରକାଳ ମୁଣ୍ତେ ବହିଲି ।୦।

 

ଏ ଗୋପେ ଜନସମାଜେ

ମୋ ନାମେ ନାଗରା ବାଜେ

କା ଆଗେ ନ କହି ଲାଜେ ଘରକୋଣେ ରହିଲି ।୧।

 

ଭାଇବନ୍ଧୁ ପରିଜନ

ମଣିଲି ମୁଁ ବିଷସମ

ନିତି ତବ ଆଗମନ କେବଳ ମନାସିଲି ।୨।

 

ଲୋଡ଼ି ରୂପ ଦରଶନ

ନିଦ ନ ଆସେ ନୟନ

ସଦା ମନ ଛନ୍ନ ପଥ ବସି ଚାହିଁଲି ।୩।

 

ବରଜି ଯଶ କୀରତି

ଅରଜିଲି ଅପଖ୍ୟାତି

ସୁମରି ପୀରତି ରୀତି ସବୁ ନିନ୍ଦା ସହିଲି ।୪।

 

ବଇକୁଣ୍ଠ ଗୀତେ ଭଣି

ଯାହା କର ବେଣୁପାଣି

ତୁମ୍ଭଙ୍କୁ ସର୍ବସ୍ୱ ମଣି ପଛେ ପଛେ ଧାଇଁଲି ।୫।

***

 

ଶ୍ୟାମ ସମ ବେଶ କିଏ ସାଜିବ ରେ

 

ଶ୍ୟାମ ସମ ବେଶ କିଏ ସାଜିବ ରେ

(ଆଉ) ବାମେ ରାଧା ପରି କିଏ ରାଜିବ ରେ ।୦।

 

ଯେତେ ଯନ୍ତ୍ର ଆନ ଆନ ହୋଇଛି ଭବେ ନିର୍ମାଣ

ଶ୍ୟାମ ବଂଶୀ ପରି କିଏ ବାଜିବ ରେ

ଆଉ କା ବଚନାମୃତ ପରିଶିଣ ଶ୍ରୁତିପଥ

ଦେହ ପ୍ରାଣ ମନ ଜ୍ଞାନ ହଜିବ ରେ ।୧।

 

କିଏ କଦମ୍ୱ ମୂଳରେ ଛିଡ଼ାହୋଇ ସୂଢଳରେ

ଶିରପରେ ଶିଖୀପୁଚ୍ଛ ଖଞ୍ଜିବ ରେ

କାହା ଦରଶନେ ଆଖି ପବିତ୍ର ଲଭିବ ସଖି

ହୋଇ ସୁଖୀ କୋଟି ପୁଣ୍ୟ ଅର୍ଜିବ ରେ ।୨।

 

ଭବେ ଯେତେ ରୂପ ବିଧି ଭେଇଛି ଖଟାଇ ବୁଦ୍ଧି

କରି ସିଦ୍ଧି ସେ ରୂପ କେ ସର୍ଜିବ ରେ

କା ସୁନ୍ଦର ଛବି ଚାହିଁ ଚତୁରୀ ଚେତା ହରାଇ

ଦାସୀ ହୋଇ ଶ୍ରୀଚରଣେ ମଜିବ ରେ ।୩।

 

 

 

ତାହା ବିନୁ କେବା ଆନେ ଦରହସିତ ବଦନେ

ବୃନ୍ଦାବନେ ନିକୁଞ୍ଜେ ବିରାଜିବ ରେ

ବଇବ୍ରହ୍ମଚାରୀ କହେ ସେ ସୁଷମା କରି ଲୟେ

ସତେ କି ଏ ଜୀବନ ବରଜିବ ରେ ।୪।

***

 

ଶ୍ୟାମସୁନ୍ଦର ନଟନାଗର ହେ

 

ଶ୍ୟାମସୁନ୍ଦର ନଟନାଗର ହେ

ସରିଯିବଟି ଧନୀ ଏଥର ହେ ।୦।

 

ନପାଇ ତୁମ୍ଭ ଦେଖା

ନିରାଶେ ବସି ଏକା

ନାମ ରଟେ ରସିକା ତୁଣ୍ତର ହେ

ସଜ କୁସୁମ ହାର

ସଖୀ କଲାଣି ଦୂର

ସରମ ନାହିଁ ତାର ମୁଖର ହେ ।୧।

 

ବିଳପେ କେବେ ବସି

ବେଳେ ତା ଉଠେ ହସି

ବଧୂ କିରଣେ ନୋହେ ବାହାର ହେ

ମୃଦୁ ମଳୟାନିଳ

ମଣୁଅଛି ଗରଳ

ମଣ୍ତେ ଗଣ୍ତରେ ପଦ୍ମ ପତର ହେ ।୨।

 

 

 

ବିଧିରେ କରି ଧ୍ୟାନ

ବୁଦ୍ଧି ହେଲାଣି ଆନ

ବାଧିବା ଜାଣି ତାକୁ ଉଦ୍ଧର ହେ

କରୁଣା ମହବାହୁ

କର ତା ଦୁଃଖ ଯାଉ

କୁଞ୍ଜରେ ତା ସାଙ୍ଗରେ ବିହର ହେ ।୩।

***

 

ଶ୍ୟାମ ହେ ନଟବର ବେଶ ନୋହିବ

 

ଶ୍ୟାମ ହେ, ନଟବର ବେଶ ନୋହିବ

ଦେଖି ସେ ମୋହନମୂର୍ତ୍ତି କରତି ଦିଅଇ ଛାତି

ଗୋପେ କେଉଁ ସତୀ ବର୍ତ୍ତିବ ।ପଦ।

 

ପିନ୍ଧି ପୀତରଙ୍ଗ ଚେଳ ମଣ୍ତିଣ ମୟୂର ଚୂଳ

ବ୍ରଜଦାଣ୍ତେ ଯାନ୍ତେ ଚାଣ୍ତେ ରଙ୍ଗେ ସଙ୍ଗେ ସଖାକୁଳ

କପାଳେ ଚନ୍ଦନବିନ୍ଦୁ ନିନ୍ଦଇ କୋଟିଏ ଇନ୍ଦୁ

ତହିଁ ଗୋରଚନା ନଦେବ ।୧।

 

ଚାରୁ ଚରଣେ ନୂପୁର କଣ୍ଠେ ମଣ୍ତି ବନମାଳ

ସାଜିଣ ତ୍ରିଭଙ୍ଗ ଠାଣି ବାଣୀ ଭଣି ସୁକୋମଳ

ଅଧରେ ମୁରଲୀଧରି ଦେଇଣ ସ୍ୱରେ ଲହରୀ

ରାଧା ବୋଲି ନଉଚ୍ଚାରିବ ।୨।

 

ଯମୁନାକୁ ଯିବାବେଳେ ରହିଣ କଦମ୍ୱ ମୂଳେ

ଭାଙ୍ଗିବାପାଇଁ ମାଠିଆ ଠିଆ ନୋହିବ ନିରୋଳେ

କଲେ ପରିହାସ ରସ ସଖୀ ସମାଜ ଅବଶ୍ୟ

ଲାଜେ ରାସେଶ୍ୱରୀ ସରିବ ।୩।

 

କହେ ବଇକୁଣ୍ଠ ଦ୍ୱିଜ ଶୁଣ ହେ ଲମ୍ପଟରାଜ

ବିବେକ ମାନ ମହତ ହତ କଲ ଦମ୍ଭ ଧୈର୍ଯ୍ୟ

ଆଉ କି ବିଚାର ମନେ ସଞ୍ଜେ ଡ଼ାକ କୁଞ୍ଜକୋଣେ

କେ ଏତେ ଗଞ୍ଜଣା ସହିବ ।୪।

***

 

ସଖି ଆଖି ପୂରାଇ ଏ ରୂପ

 

ସଖି ଆଖି ପୂରାଇ ଏ ରୂପ ଥାଅ ଦେଖି ଗୋ

ଏ ପରା ତୋ ଜୀବନେ ମରଣେ ସାଥୀ ଗୋ ।୦।

 

କେଳି କଦମ୍ୱ ମୂଳରେ ଭଲା କେଡ଼େ ସୁଢଳରେ

ତା ପଦ କମଳେ ମନ ଦିଅ ଯୋଖି ଗୋ ।୧।

 

ତ୍ରିଭଙ୍ଗ ଭଙ୍ଗିମା ଠାଣି ହୃଦୟ ନେଉଛି କିଣି

ସେ ବାଙ୍କ ଚାହାଣି ଚିତ୍ତେ ରଖ ଆଙ୍କି ଗୋ ।୨।

 

ବଙ୍କିମ ଅଧରେ ବଂଶୀ ମୁଖେ ମନ୍ଦେ ମନ୍ଦେ ହସି

କୋଟି ରବି ଶଶି ତେଜ ନୁହେଁ ଲକ୍ଷି ଗୋ ।୩।

 

କୁଞ୍ଚିତ କୁଟିଳ କେଶ କଟି ଦେଶେ ପୀତବାସ

ଶିରଦେଶେ ସାଜେ ଚାହାଁ ପୁଚ୍ଛ ଶିଖୀ ଗୋ ।୪।

 

ଯାର ଥିବପୂର୍ବ ପୁଣ୍ୟ ସେହୁ କରିବ ଦର୍ଶନ

ବଇକୁଣ୍ଠ ମନ ଧ୍ୟାନେ ରହୁ ଲାଖି ଗୋ ।୫।

***